ବାଇଡେନ୍‌ଙ୍କ ବଡ଼ ଘୋଷଣା: ୧୦୦ ଦିନରେ ୧୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭକରି ଥିବା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦୦ ଦିନମଧ୍ୟରେ ଦେଶର ୧୦କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି କହିଛନ୍ତି। ଏହା ସହିତ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ୍‌ ପିନ୍ଧିବାକୁ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଅପିଲ୍‌ କରାଯିବ। ଡେଲାଓ୍ବେରରେ ଏକ ବୈଠକରେ ଯୋଗଦେଇ ବାଇଡେନ୍‌ ଏଭଳି କହିଛନ୍ତି। ବିଭିନ୍ନ କାର୍ଯ୍ୟାଳୟ ଏବଂ ପରିବହନ ସେବାରେ ମାସ୍କ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। କରୋନା ସଂକ୍ରମଣରେ ରୋକ ଲଗାଇବା ତାଙ୍କ ସରକାରର ମୁଖ୍ୟ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି। ବନ୍ଦ ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲିବା ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯିବ। ନୂଆ ସରକାର କ୍ଷମତା ଗ୍ରହଣ କରିବା ପରେ ଏହି ୩ଟି କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ସେ କହିଛନ୍ତି।

Share