ମୋଦିଙ୍କ ସହ କଥା ହେଲେ ବାଇଡେନ୍‌

ନ୍ୟୁୟର୍କ, ୧୯।୧୧(ଆଇଏଏନ୍‌ଏସ୍‌): ଜାନୁୟାରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋ ବାଇଡେନ୍‌ ଫୋନ୍‌ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ସେ ଓ କମଲା ହାରିସ୍‌ ଚାହାନ୍ତି। ଏଦିଗରେ ସେ କାର୍ଯ୍ୟ କରିବେ ବୋଲି ବାଇଡେନ୍‌ କହିଛନ୍ତି।
ଡେମୋକ୍ରାଟିକ୍‌ ପାର୍ଟି ନେତା ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ-ଆମେରିକା ରଣନୀତିକ ସହଭାଗିତା ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ମହାମାରୀ ଜନିତ ସ୍ବାସ୍ଥ୍ୟ ସଙ୍କଟ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ଲାଗି ସେ ମୋଦିଙ୍କ ସହ ଏକାଠି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଦେଶ ଭିତରେ ଓ ବିଦେଶରେ ଗଣତନ୍ତ୍ରକୁ ମଜଭୁତ କରିବା ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବେ ବୋଲି ବାଇଡେନ୍‌ କହିଛନ୍ତି।
ବାଇଡେନ୍‌ ନିର୍ବାଚିତ ହେବା ପରେ ଗତ ୧୦ ତାରିଖରୁ ବିଶ୍ୱର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଆସୁଛନ୍ତି। ଏହି କ୍ରମରେ ସେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। ଉପରାଷ୍ଟ୍ରପତି ଭାବେ ବାଇଡେନ୍‌ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିଥିଲେ ବୋଲି ମୋଦି ମନେ ପକାଇଦେଇଥିଲେ।

Share