ଜେନେଭାରେ ବାଇଡେନ୍‌-ପୁଟିନ୍‌ ସମିଟ୍‌

ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଭ୍ଲାଡିମିର ପୁଟିନ ବୁଧବାର ପରସ୍ପର କରମର୍ଦ୍ଦନ କରିଛନ୍ତି। ଜାନୁୟରୀ ୨୦ରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଥିଲା ପୁଟିନଙ୍କ ସହ ପ୍ରଥମ କରମର୍ଦ୍ଦନ। ଜେନେଭାରେ ଆମେରିକା-ରୁଷିଆ ବୁଝାମଣା ୧୯୮୫ରେ ତତ୍କାଳୀନ ୟୁଏସ୍‌ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଏବଂ ସୋଭିଏଟ୍‌ ନେତା ମିଖାଇଲ୍‌ ଗୋର୍ବାଚେଭ୍‌ଙ୍କ ମଧ୍ୟରେ ହୋଇଥିବା ଶୀତଳ ଯୁଦ୍ଧ ସମିଟ୍‌କୁ ମନେ ପକାଇଦେଇଛି। ଯଦିଓ ସେତେବେଳର ଉତ୍ତେଜନା ଏବେ ନାହିଁ, ତଥାପି ଦୁଇଟି ରାଷ୍ଟ୍ରପତି ନିର୍ବାଚନ ବେଳେ ଆମେରିକୀୟ ସଂସ୍ଥା ଉପରେ ସାଇବର ଆକ୍ରମଣଠାରୁ ଆରମ୍ଭ କରି ମାନବାଧିକାର ଉଲ୍ଲଂଘନ, ୟୁକ୍ରେନ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ର ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଆଦି ଅନେକ ଅଭିଯୋଗ ଓ୍ବାଶିଂଟନ ମସ୍କୋ ବିରୋଧରେ ଆଣିଛି।

Share