ବିଜୟ ପଥେ ବାଇଡେନ୍

ଓ୍ବାଶିଂଟନ/ନ୍ୟୁୟର୍କ,୫ା୧୧-ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ଜିତିବ ତାକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଭୋଟ ଗଣତିର ଦ୍ୱିତୀୟ ଦିନରେ ବାଇଡେନ୍‌ ବିଜୟର ଧାରା ଅବ୍ୟାହତ ରଖି ବିଶ୍ୱର ସବୁଠୁ ହାଇପ୍ରୋଫାଇଲ୍‌ ଅଫିସ୍‌ ପଥରେ ଅଗେଇ ଚାଲିଛନ୍ତି। ରାଷ୍ଟ୍ରପତି ପଦରେ ଆସିନ ହେବା ପାଇଁ ବାଇଡେନଙ୍କୁ ଆଉ ମାତ୍ର ୬ ଇଲେକ୍ଟୋରାଲ ଭୋଟ ଆବଶ୍ୟକ ଥିବାବେଳେ ୨୧୪ ଭୋଟରେ ସୀମିତ ରହିଥିବା ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପ୍‌ ହାତରୁ ହ୍ବାଇଟ୍‌ ହାଉସ୍‌ ଖସିବାରେ ଲାଗିଛି। ନିଜ ଉଜ୍ଜ୍ୱଳ ବିଜୟ ସମ୍ଭାବନା ଦେଖି ବାଇଡେନ୍‌ ଘୋଷଣା କରିଛନ୍ତି, ଆମେ ହାର ମାନିବା ନାହିଁ। ଡେଲାଓ୍ବେରରେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ଉପସ୍ଥିତିରେ ବାଇଡେନ୍‌ କହିଛନ୍ତି, ଆମେ ବିଜୟୀ ହୋଇଛେ ବୋଲି ଘୋଷଣା କରିବାକୁ ଏଠାକୁ ଆସିନାହୁଁ। ଏତିକି କହିବାକୁ ଚାହୁଁଛି ଯେ, ମୁଁ ଜଣେ ଆମେରିକୀୟ ରାଷ୍ଟ୍ରପତି ଭାବେ ଶାସନ କରିବି। କେଉଁଠି ହେଲେ ‘ରେଡ୍‌ ଷ୍ଟେଟ୍‌’ କି ‘ବ୍ଲୁ ଷ୍ଟେଟ୍‌’ରହିବ ନାହିଁ। ସମ୍ପୂର୍ଣ୍ଣ ଫଳାଫଳ ଆମ ସପକ୍ଷରେ ଯିବ। ଆମେ ହିଁ ବିଜୟୀ ହେବା କହି ଡେମୋକ୍ରାଟ୍‌ଙ୍କ ମନରେ ଉତ୍ସାହ ଭରି ଦେଇଛନ୍ତି ୭୭ ବର୍ଷୀୟ ବିଜ୍ଞ ତଥା ଅନୁଭବୀ ରାଜନେତା ବାଇଡେନ୍‌। କ୍ରମାଗତ ଭାବେ ଓ୍ବିସ୍କୋନସିନ ଓ ମିଶିଗାନ ଭଳି ଗଡ଼ ଜିତିବା ପରେ ଚାରିବର୍ଷ ତଳେ ଭାଙ୍ଗିଯାଇଥିବା ‘ବ୍ଲ୍ୟୁ ଓ୍ବାଲ’ର ପ୍ରଶସ୍ତ ପ୍ରାଚୀର ପୁନର୍ଗଠନର ଆଶା ଉଜ୍ଜୀବିତ ହୋଇଛି। ଏହା ଟ୍ରମ୍ପ୍‌ଙ୍କ ପୁନର୍ବିଜୟର ରାସ୍ତାକୁ ସଂକୀର୍ଣ୍ଣ କରିଦେଇଛି। ଟ୍ରମ୍ପ୍‌ ଏଥିରେ ମର୍ମାହତ ହୋଇ ଟୁଇଟ୍‌ କରିଛନ୍ତି, ସେମାନେ ସବୁଠି ବାଇଡେନଙ୍କ ସପକ୍ଷରେ ଭୋଟ ଗଣତି କରୁଛନ୍ତି। ପେନ୍‌ସିଲଭାନିଆ, ଓ୍ବିସ୍କୋନ୍‌ସିନ ଓ ମିଶିଗାନ। ଏହା ଆମ ଦେଶ ପାଇଁ ଦୁର୍ଭାଗ୍ୟର ବିଷୟ। ଫଳାଫଳକୁ ନେଇ ନରାଶ ଟ୍ରମ୍ପ୍‌ ଏହାକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ୍‌ ପେନ୍‌ସିଲଭାନିଆ, ମିଶିଗାନ ଓ ଜର୍ଜିଆ କୋର୍ଟରେ ଲ’ସୁଟ୍‌ ଫାଇଲ୍‌ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଉଦ୍ୟମକୁ ସମାଲୋଚକମାନେ ‘ତୁଚ୍ଛ’ ଆଖ୍ୟା ଦେଇଛନ୍ତି।

Share