ହ୍ବାଇଟ୍‌ ହାଉସ୍‌ରେ ବାଇଡେନ୍‌-ମୋଦି

ଓ୍ବାଶିଂଟନ,୨୪।୯: ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ। ବିଶ୍ୱର ଦୁଇ ବୃହତ୍‌ ଗଣତନ୍ତ୍ର ନିଜ ସମ୍ବନ୍ଧକୁ ଦୃଢ଼, ନିବିଡ଼ ଓ ଘନିଷ୍ଠ କରିବାକୁ ଯାଉଛନ୍ତି ବୋଲି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସେହିପରି ଚଳିତ ଦଶନ୍ଧିରେ ଆମେରିକାର ନେତୃତ୍ୱ ନିର୍ଦ୍ଦିଷ୍ଟ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଭାରତ-ଆମେରିକା ମଧ୍ୟରେ ବନ୍ଧୁତାକୁ ଆହୁରି ମଜଭୁତ କରିବା ପାଇଁ ମଞ୍ଜି ବୁଣାଯାଇଛି ବୋଲି ବାଇଡେନ୍‌ଙ୍କୁ ମୋଦି କହିଛନ୍ତି।

୩ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସେଠାକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଓ୍ବାଶିଂଟନସ୍ଥିତ ହ୍ବାଇଟ୍‌ ହାଉସ୍‌ରେ ଭେଟିଛନ୍ତି। କୋଭିଡ୍‌-୧୯ ମହାମାରୀ ପରେ ଏହା ହେଉଛି ମୋଦିଙ୍କ ଦ୍ୱିତୀୟ ବିଦେଶ ଗସ୍ତ। ଏହି ଅବସରରେ ମୋଦି ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ସାକ୍ଷାତ୍‌ ବେଳେ ମୋଦି ବାଇଡେନ୍‌ଙ୍କୁ କହିଥିଲେ, ଭାରତ-ଆମେରିକା ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏଥିରେ ଟେକ୍ନୋଲୋଜିର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ହିତ ପାଇଁ ଆମକୁ ମେଧାଶକ୍ତି ଓ ବୈଷୟିକ ଜ୍ଞାନର ଉପଯୁକ୍ତ ଉପଯୋଗ କରିବାକୁ ପଡ଼ିବ।
କ୍ୱାଡ୍‌ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା ପକ୍ଷରୁ ମହାକାଶ ଉପରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଘୋଷଣା ହୋଇଛି। ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏହି ଐତିହାସିକ ସମ୍ମିଳନୀରେ ଯୋଗାଣ ଶୃଙ୍ଖଳ ପଦକ୍ଷେପ, ୫ଜି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆହ୍ବ୍‌ାନ, ଜଳବାୟୁ ପରିବର୍ତ୍ତନ, କୋଭିଡ୍‌-୧୯ ମହାମାରୀ, ସ୍ବାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ ଏବଂ ଆଫଗାନିସ୍ତାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବହୁପାକ୍ଷିକ ସହଯୋଗିତାକୁ ମଜଭୁତ କରିବା ନେଇ କ୍ୱାଡ୍‌ ରାଷ୍ଟ୍ରମୁଖ୍ୟମାନେ ସହମତି ପ୍ରକାଶ କରିଛନ୍ତି। ୨୦୨୦ ଜାନୁୟାରୀରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍‌। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ହେଉଛି ତାଙ୍କର ସପ୍ତମ ଆମେରିକା ଗସ୍ତ।

 

 

Share