ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା ଅସ୍ଥାୟୀ ଆଧାରରେ ଜଳ ଅଧିକାରର ବିକ୍ରି ଖର୍ଦି)କୁ ଜଳବାୟଜନିତ ଜଳ ସଙ୍କଟର ଏକ ମୌଳିକ ସମାଧାନ ଭାବରେ ଚିହ୍ନଟ କରିଛି। ଜଳର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ପୂର୍ବକ ଚାହିଦା ଆଧାରରେ ଏହାର ବଣ୍ଟନ ପାଇଁ ବଜାର ସୃଷ୍ଟିକରି ଆମେ ଜଳର ପ୍ରଭାବୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ସଂରକ୍ଷଣକୁ ମଧ୍ୟ ଉତ୍ସାହିତ କରିପାରିବା। ତେବେ ଜଳ ବଜାର ଏକ ଉତ୍କୃଷ୍ଟ ଚିନ୍ତାଧାରା ଜଣାପଡ଼ୁଥଲେ ମଧ୍ୟ ଚିଲି, ଅଷ୍ଟ୍ରେଲିଆ, ଆମେରିକା ଏବଂ ଅନ୍ୟାନ୍ୟ ଦେଶର ଅନୁଭବ ଦର୍ଶାଏ ଯେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇପାରେ।

ଜଳ ବଜାରରେ ବ୍ୟକ୍ତି କିମ୍ବା ସଙ୍ଗଠନକୁ ଜଳ ବ୍ୟବହାର ଲାଗି ବୈଧ ଅଧିକାର ପ୍ରଦାନ କରାଯିବା ସହ ବ୍ୟବସାୟ କରିବାକୁ ଅନୁମତି ଦିଆଯାଏ। ଜାତୀୟ ଜଳ ବଜାରକୁ କାର୍ଯ୍ୟକାରୀ କରିବାରେ ଚିଲି ହେଉଛି ପ୍ରଥମ ଦେଶ। ସେଠାରେ କୃଷକମାନେ ଜଳ ଲବ୍ଧ ଅଞ୍ଚଳ କିମ୍ବା ଶିଳ୍ପଗୁଡ଼ିକରୁ ଜଳ କିଣିପାରୁଛନ୍ତି। ଏଭଳି ପଦ୍ଧତି ମରୁଡ଼ି ସମୟରେ ବି ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଉପତ୍ାଦନ ବୃଦ୍ଧିରେ ସାହାଯ୍ୟକରେ। ଚିଲିର ଜଳ ବଜାର ଯୋଗୁ କୃଷି ଉତ୍ପାଦନ ବଢ଼ିଲା। ୧୯୮୫ ରୁ ୨୦୧୮ ମଧ୍ୟରେ ଅଧିକ ଜଳ ଦରକାର କରୁଥିବା କୃଷିର ଚାହିଦା ଥିବା ଅଞ୍ଚଳରେ ଜଳ ବଜାରକୁ ଅନୁମତି ଦେବା ଦ୍ୱାରା ଆଟାକାମା ଏବଂ କୋକ୍ୱିିମ୍ବୋରେ ପ୍ରଚୁର ଫସଲ ଉପତ୍ାଦନ ହୋଇପାରିଥିଲା। ଏହି ପ୍ରକାର ନୀତି ଅଷ୍ଟ୍ରେଲିଆର ମୁର୍‌ରେ ଡାର୍ଲିଂ ଅବବାହିକାରେ ଲାଗୁ କରାଯାଇଛି। ସେଠାରେ କୃଷକମାନେ ଜଳର ବୈଧ ବାଣିଜି୍ୟକ ଉପଯୋଗ କରୁଛନ୍ତି।

ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଜଳ ବ୍ୟବସାୟ ଆକାର ପ୍ରାୟ ୪ ବିଲିୟନ ଅଷ୍ଟ୍ରେଲୀୟ ଡଲାର (୨.୭ ବିଲିୟନ ଆମେରିକୀୟ ଡଲାର) ଏବଂ ଅଷ୍ଟ୍ରେଲିଆକୁ ଏହା ବିଶ୍ୱର ନବମ ବୃହତ୍ତମ ଖାଦ୍ୟ ରପ୍ତାନିକାରୀ ଦେଶ କରିପାରିଛି। କାଲିଫର୍ନିଆର ସେଣ୍ଟ୍ରାଲ ଭ୍ୟାଲି ମଧ୍ୟ କୃଷିଭିତ୍ତିକ ଜଳ ବ୍ୟବସାୟକୁ ଅନୁମତି ଦିଏ। ଏହାଦ୍ୱାରା କୃଷକମାନେ ଜଳ ସମ୍ବଳ ସମୃଦ୍ଧ ଅଞ୍ଚଳରୁ ଜଳ କ୍ରୟ କରି ମରୁଡ଼ି ପରିସ୍ଥିତିର ମୁକାବିଲା କରୁଛନ୍ତି। କିନ୍ତୁ ଚିଲିରେ ଜଳ ବଜାରର ଦୁର୍ବଳତା ସାମ୍ନାକୁ ଆସିଛି। ଚିଲିରେ ଏହା ଅଧିକ ଅସମାନତା ସୃଷ୍ଟିକରିଛି। ବୃହତ୍‌ କୃଷି ବ୍ୟବସାୟୀମାନେ ଜଳକୁ ବ୍ୟବହାର କରିବାର ଅଧିକ ଅଧିକାର ପାଇଥିବାବେଳେ କ୍ଷୁଦ୍ରଚାଷୀ ଏବଂ ବଞ୍ଚିତ ସମୁଦାୟଙ୍କୁ କମ୍‌ ସୁବିଧା ଦିଆଯାଇଛି।

ଧନୀ ବ୍ୟବସାୟୀମାନେ ଜଳ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଦୁର୍ବଳ ତଥା ବଞ୍ଚିତ ଗୋଷ୍ଠୀ ଅଧିକ ମୂଲ୍ୟ ଯୋଗୁ ଜଳ କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହା ଗମ୍ଭୀର ନ୍ୟାୟିିକ ସମସ୍ୟା ସୃଷ୍ଟି କରୁଛି। ଚିଲିର ଜଳ ବଜାର ବ୍ୟବସ୍ଥା ଧନିକଙ୍କୁ ଅତ୍ୟଧକ ଜଳ କିଣିିବାକୁ ଅନୁମତି ଦେଇ ଅଧିକ ଜଳ ଦରକାର କରୁଥିବା ଲୋକଙ୍କୁ ଅଣଦେଖା କରୁଛି। ଉତ୍ତର ଚିଲିର ଲିମାରି ଉପତ୍ୟକାରେ ଜଳ ଅଧିକାରକୁ କେତୋଟି ବୃହତ୍‌ କୃଷି କମ୍ପାନୀ ମଧ୍ୟରେ ସୀମିତ ରଖାଯାଇଛି। ଏହା ଦ୍ୱାରା କ୍ଷୁଦ୍ରଚାଷୀମାନେ ମରୁଡ଼ି ସମୟରେ ପର୍ଯ୍ୟାପ୍ତ ଜଳ ପାଇପାରୁ ନାହାନ୍ତି। ଏହି ପ୍ରକାର ସମସ୍ୟା କାଲିଫର୍ନିଆରେ ମଧ୍ୟ ଦେଖାଯାଏ। ସେଠାରେ ଜଳ ଅଧିକାର ପାଇଥିବା ଏକ କ୍ଷୁଦ୍ର ଗୋଷ୍ଠୀ ଉପଲବ୍ଧ ଜଳର ଅତ୍ୟଧିକ ପରିମାଣ ସେମାନଙ୍କ ନିୟନ୍ତ୍ରଣରେ ରଖିଛନ୍ତି ,ଯାହା କେବଳ ବୃହତ୍‌ କୃଷି ପାଇଁ ଲାଭ ହେଉଛି।

ଜଳ ବଜାର ମଧ୍ୟ ପରିବେଶକୁ କ୍ଷତି କରିପାରେ। ଚିଲିରେ ଜଳକୁ କୃଷିରେ ବ୍ୟବହାର କରିବା ଦ୍ୱାରା ନଦୀ ଓ ଅର୍ଦ୍ରଭୂମିର ପରିସଂସ୍ଥାର କ୍ଷତି ଘଟୁଛି। ଅଷ୍ଟ୍ରେଲିଆରେ ଅତ୍ୟଧିକ ଜଳ ଉତ୍ତୋଳନ ଯୋଗୁ ଗମ୍ଭୀର ପରିବେଶଗତ କ୍ଷତି ହୋଇଛି। ସେଠାରେ ନଦୀର ପରିସଂସ୍ଥା ଭୁଶୁଡ଼ିପଡ଼ିବା ସହ ଭୂପୃଷ୍ଠ ଏବଂ ଭୂତଳ ଜଳ ଉତ୍ସ ହ୍ରାସପାଇବା ହେତୁ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି। କାଲିଫର୍ନିଆ ବି ସମାନ ଆହ୍ବାନର ସମ୍ମୁଖୀନ ହୋଇଛି। ଜଳ ବ୍ୟବସାୟ କେତେକ ଅଞ୍ଚଳରେ ଯୋଗାଣ ଓ ଚାହିଦାରେ ସମନ୍ବୟ ଆଣିବାରେ ସାହାଯ୍ୟ କରିଥିଲେ ମଧ୍ୟ ଏହା ଅଧିକ ଅସମାନତା ସାମ୍ନାକୁ ଆଣିଛି। ସେଣ୍ଟ୍ରାଲ ଭ୍ୟାଲିର କ୍ଷୁଦ୍ର ଚାଷୀମାନେ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ସହରର ଗରିବ ସମୁଦାୟ ଜଳ ପାଇଁ ଅଧିକ ମୂଲ୍ୟ ଦେଉଛନ୍ତି। ମରୁଡ଼ି ସମୟରେ ଏହା ଦୁର୍ବଳ ବର୍ଗଙ୍କୁ ଅଣଦେଖା କରିଛି।

ଭବିଷ୍ୟତରେ ଲାଭ ପାଇଁ ଗଚ୍ଛିତ କରାଯାଉଥିବା ଜଳ ମଧ୍ୟ ଏକ ବଡ଼ ସମସ୍ୟା। କାଲିଫର୍ନିଆରେ କେତେକ ସଂସ୍ଥା ବଜାରକୁ ଜଳ ଛାଡ଼ୁନାହାନ୍ତି। ସେମାନେ ମୂଲ୍ୟ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଜଳାଭାବ ସୃଷ୍ଟି କରିଥିବାବେଳେ ଜଳ ସଙ୍କଟ ଅଞ୍ଚଳରେ ଜଳର ମୂଲ୍ୟ ବୃଦ୍ଧି କରିଛି। ତେବେ ଜଳ ବଜାରରେ ଥିବା ନିଷ୍ପକ୍ଷତା ଓ ନ୍ୟାୟ କ୍ଷେତ୍ରରେ ଥିବା ବଡ଼ ସମସ୍ୟା ଉପରେ ବିଚାର କରିବାକୁ ହେବ। ଧନୀ ସଂସ୍ଥାଗୁଡ଼ିକ ଜଳ ଅଧିକାର କ୍ରୟ କରିବାକୁ ସକ୍ଷମହେବା ଏକଚାଟିଆ ଜଳ ବଜାରକୁ ଦର୍ଶାଉଛି। ଚିଲିରେ ଏହା ଏକ ସ୍ଥାୟୀ ସମସ୍ୟା ଓ ସେଠାରେ ବୃହତ୍‌ କୃଷି ବ୍ୟବସାୟ ଏବଂ ଖଣି କମ୍ପାନୀଗୁଡ଼ିକ ବିଶେଷକରି ମରୁଡ଼ିପ୍ରବଣ ଅଞ୍ଚଳରେ ଜଳ ବଜାରକୁୁ ନିୟନ୍ତ୍ରଣରେ ରଖିଛନ୍ତି। ଅନ୍ୟ ଏକ ଆହ୍ବାନ ହେଉଛି, ବହୁ ସମୟରେ ଜଳ ବଜାରଗୁଡ଼ିକ ସହିତ ପାରମ୍ପରିକ ଜଳ ଅଧିକାରର ବିବାଦ ଉପୁଜି ନ୍ୟାୟିକ ଓ ସାମାଜିକ ସଂଘର୍ଷର ରୂପ ନେଉଛି। ଚିଲିରେ ଜଳ ବ୍ୟବହାର ଅଧିକାରର ବ୍ୟବସାୟୀକରଣ କରାଯିବା ସହ ତାହାକୁ ବୃହତ୍‌ ସଂସ୍ଥାଗୁଡ଼ିକୁ ବିକ୍ରି କରିଦିଆଯାଇଛି। ଫଳରେ ଆଦିବାସୀଙ୍କ ସମେତ ଯେଉଁମାନେ ପୂର୍ବରୁ ଜଳ ଅଧିକାର ପାଇଥିଲେ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛିି । ଏହା ବାସ୍ତବରେ ଅନ୍ୟାୟ। ଅନେକ ଗୋଷ୍ଠୀ ଜଳକୁ ସରକାରୀ ସମ୍ପତ୍ତି ଭାବେ ଦେଖୁଥିବାବେଳେ ଏହାର ବ୍ୟବସାୟୀକରଣକୁ ନେଇ ମୌଳିକ ପ୍ରଶ୍ନ ଉଠିଛି।

ଦେଖିବାକୁ ଗଲେ ଜଳ ବଜାରର କାର୍ଯ୍ୟକାରିତା ଯୋଗୁ ସୀମାପାର ଜଳ ବିବାଦ ବଢୁଛି। ହେଲେ ଜଳ ବଜାରର ପ୍ରତିଶ୍ରୁତି ସମ୍ଭାବ୍ୟ ଜଳ ସଙ୍କଟ ଦୂରକରିବା ସହ ସଂରକ୍ଷଣ ଦକ୍ଷତାକୁ ଉତ୍ସାହିତ କରୁଛି। କିନ୍ତୁ ନିରପେକ୍ଷତା ଏବଂ ପରିବେଶ ସ୍ଥିରତା ଉପରେ ଯେଉଁ ବିପଦ ସୃଷ୍ଟି ହେଉଛି ତାହାକୁ ଅଣଦେଖା କରାଯାଇପାରିବ ନାହିଁ । ଚିଲି, ଅଷ୍ଟ୍ରେଲିଆ ଏବଂ କାଲିଫର୍ନିଆର ବଜାରଭିତ୍ତିକ ଜଳ ପରିଚାଳନା ମୂଲ୍ୟବାନ୍‌ ଶିକ୍ଷା ପ୍ରଦାନକରେ। ସେଠାରେ ଜଳକୁ ଏକ ଦ୍ରବ୍ୟ ଭାବରେ ବ୍ୟବହାର କରାଯିବାବେଳେ ଏକଚାଟିଆ ଅଧିକାର, ଅଧିକ ଲାଭ ପାଇଁ ଜଳ ଗଚ୍ଛିତ କରିବା ଯୋଗୁ କ୍ଷତି ଘଟୁଛି ଏବଂ ପରିବେଶର ଅବନତି ହେଉଛି।

ଏହାର ସମାଧାନ କରିବା ଲାଗି ଏକ ସମନ୍ବିତ ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଜଳର ନ୍ୟାୟପୂର୍ଣ୍ଣ ଉପଲବ୍ଧତା, କମ୍‌ ସଂସ୍ଥା ହାତରେ ଅଧିକ ଜଳ ଅଧିକାର ଯେଭଳି ନ ରହେ ତାହା ନିଶ୍ଚିତ କରିବା ସହ ପରିସଂସ୍ଥାର ସୁରକ୍ଷା ପାଇଁ ଜଳ ବଜାରକୁ ସତର୍କତାର ସହ ସଞ୍ଚାଳନ କରିବାକୁ ହେବ। ବଜାର ପ୍ରକ୍ରିୟା ସହ ଦୃଢ଼ ଦୃଷ୍ଟିକୋଣ ଏବଂ କମ୍ୟୁନିଟି ପରିଚାଳନାକୁ ଏକାଠି କରିପାରୁଥିବା ଏକ ବ୍ୟବସ୍ଥା ଅଧିକ ନିଷ୍ପକ୍ଷ ଏବଂ ପରିବେଶ ଉପଯୋଗୀ ସମାଧାନ ଆଣିପାରିବ। ସରକାରଗୁଡ଼ିକ ମଧ୍ୟ ଦୁର୍ବଳ ତଥା ବିପଦରେ ଥିବା ସମୁଦାୟର ଅଧିକାରକୁ ବଜାୟ ରଖିବା ଉଚିତ। ଏହା ସହ ଜଳକୁ ବ୍ୟବସାୟିକ ସାମଗ୍ରୀ ନୁହେଁ, ବରଂ ଏକ ସାର୍ବଜନୀନ ସଂସାଧନ ଭାବେ ସ୍ବୀକୃତି ଦେବା ଦରକାର।

(ଏଡୁଆର୍ଡୋ ଆରାରଲ)ଆସୋସିଏଟ ପ୍ରଫେସର, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ବାଟର ପଲିସି, ନ୍ୟାଶନାଲ
ୟୁନିଭର୍ସିଟି ଅଫ୍‌ ସିଙ୍ଗାପୋର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri