ସମୁଦ୍ରରେ ବୁଡିଗଲା ଭୁଟୁଭୁଟି: ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ରୂପସା,୨୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛଧରା କେନ୍ଦ୍ରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଭୁଟୁଭୁଟି ବୁଡିଯାଇଛି। ଫଳରେ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୬ ଜଣଙ୍କ ଜୀବନ ବଞ୍ଚିଯାଇଛିl
ନିଖୋଜ ମତ୍ସ୍ୟଜୀବୀ ହେଲେ ସିଂଲା ଥାନା ସାଉଡିହି ଗ୍ରାମର ଜିତେନ୍ଦ୍ର ପାତ୍ର (୫୦)।
ନାରାୟଣୀ ନାମକ ଭୁଟୁଭୁଟିରେ ନାବିକ ସମେତ ମୋଟ ୭ ଜଣ ମତ୍ସ୍ୟଜୀବୀ ଶୁକ୍ରବାର
ବିଳମ୍ବିତ ରାତିରେ ଏହି ମାଛଧରା କେନ୍ଦ୍ରରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯାଇଥିଲେ। ଜେଟି ଅଞ୍ଚଳଠାରୁ ପ୍ରାୟ ୭ ଶହ ମିଟର ଦୂରରେ ଯାଉଥିବା ବେଳେ ଶନିବାର ହଠାତ ପୂର୍ବ ଦିଗରୁ ଜୋରରେ ପବନ ବୋହିଥିଲା । ଫଳରେ ଢେଉ ମାଡ଼ରେ ଭୁଟୁଭୁଟିଟି ଭାରସାମ୍ୟ ହରାଇ ସମୁଦ୍ରରେ ବୁଡ଼ିଯାଇଥିଲା। ସେଥିରେ ଥିବା ସମସ୍ତ ମତ୍ସ୍ୟଜୀବୀ ଜୀବନ ବିକଳରେ କୂଳ ନିକଟକୁ ପହଁରିବା ଆରମ୍ଭ କରିଥିଲେ । ମନୋରଞ୍ଜନ ବାରିକ, ପୂର୍ଣଚନ୍ଦ୍ର ଜେନା, ଶଙ୍କର ମଣ୍ଡଳ, ଜଗା ମଣ୍ଡଳ, ମାଲୁ ମଣ୍ଡଳ ଓ ଭୁବନ ଜେନା ପହଁରି ପହଁରି କୂଳରେ ପହଞ୍ଚିବାରେ ସମର୍ଥ ହୋଇଥିବାବେଳେ ଜିତେନ୍ଦ୍ର ପାତ୍ର ନିଖୋଜ ହୋଇଯାଇଥିଲେ ବୋଲି ଭୁଟୁଭୁଟି ମାଲିକ ବିକାଶ ବାରୋଇ ସାମୁଦ୍ରିକ ଥାନାରେ ଜଣାଇଥିଲେ । ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି ପହଞ୍ଚି ତଦନ୍ତ ଜାରିରଖିଥିଲେ ହେଁ ଏଯାବତ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳି ନାହିଁ ।