୧୦୦ କୋଟି କ୍ଲବ୍‌ରେ ‘ଭୁଲ୍‌ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମଟି ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି। କାର୍ତ୍ତିକ ବିଭିନ୍ନ ସହରରେ ବୁଲି ବୁଲି ଫିଲ୍ମର ପ୍ରମୋଶନ କରୁଛନ୍ତି। ନିକଟରେ ପୁଣେରେ ପ୍ରମୋଶନ ଶେଷ କରିବା ପରେ କାର୍ତ୍ତିକ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ସେ ରାସ୍ତା କଡ଼ରେ ଥିବା ଏକ ଷ୍ଟଲରେ ଭାତ ଏବଂ ପାମ୍ପଡ ଖାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ କାର ପାଖରେ ଥାଳିରେ ରାସ୍ତାକଡ଼ର ଖାଦ୍ୟ ଖାଇବାର ମଜା ନେଉଛନ୍ତି। ୧୦୦ କୋଟି କ୍ଲବ୍‌ରେ ଫିଲ୍ମ ପ୍ରବେଶ କରିବା ଖୁସିରେ ମୁଁ ରାସ୍ତା କଡ଼ରେ ଖାଉଛି ବୋଲି ସେ କହିଛନ୍ତି।
‘ଭୁଲ୍‌ ଭୁଲେୟା-୨’ରେ କିଆରା ଆଡଭାନୀ, ତବୁ, ରାଜପାଲ ଯାଦବ ଏବଂ ସଞ୍ଜୟ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆନିସ ବାଜମିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ଅଷ୍ଟମ ଦିନ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ସଂଗ୍ରହ କରିଛି।

Share