Categories: ଖେଳ

ଭୁବନେଶ୍ୱର ଓପନ୍‌ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ପ୍ରତିଯୋଗିତାରେ ୫.୫ ପଏଣ୍ଟ ପାଇ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ହୋଇଛନ୍ତି। ମାନସ ରଞ୍ଜନ ପରିଡ଼ା, ସଞ୍ଜୀବନ ନାୟକ, ରବୀନ୍ଦ୍ର କୁମାର ଓଝା (ସମସ୍ତେ ୫ ପଏଣ୍ଟ), ରାଜେନ୍ଦ୍ର କୁମାର ସାହୁ (୪.୫), ଦେବୀ ପ୍ରସାଦ ନାୟକ, ଆଦିତ୍ୟ ଜେନା, ଅବିନାଶ ବଳିୟାରସିଂ, ଅର୍ନବ ମହାନ୍ତି ଓ ସେକ୍‌ ସୟଦ (ସମସ୍ତେ ୪ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି।

ଏହା ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯେଗୀଙ୍କୁ ଏଜ୍‌-ଗ୍ରୁପ୍‌ ଏବଂ ୫ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୬୧ ବର୍ଷୀୟ ଗଙ୍ଗାଧର ପଣ୍ଡା ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଛନ୍ତି। ସିନିୟର ଅନ୍‌କୋଲୋଜିଷ୍ଟ ଅମିତାଭ ଜେନା, ଅଜୟ ବିନୟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଏମ୍‌ସିଏ ବିଭାଗ ମୁଖ୍ୟ ଅମରେଶ ସାହୁ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share