ଭୁବନେଶ୍ୱର ଦ୍ୱିତୀୟ ବାସୋପଯୋଗୀ

ନୂଆଦିଲ୍ଲୀ, ୫ା୩(ପିଆଇବି):ଭାରତରେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବାସପୋଯୋଗୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱର। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଜାରି କରିଥିବା ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ-୨୦୨୦ ତାଲିକାରୁ ଏହା ଜଣାପଡ଼ିଛି। ଜୀବନ ଜୀବିକାର ଗୁଣବତ୍ତା, ସହରର ଆର୍ଥିକ ଦକ୍ଷତା, ସ୍ଥିରତା, ରାଜନୀତି ଆଦି ମାନଦଣ୍ଡ ଆଧାରରେ ମୋଟ୍‌ ୧୦୦ ନମ୍ବରରୁ ଭୁବନେଶ୍ୱରକୁ ୫୯.୮୫% ମିଳିଛି। ଏଥିରେ ଭାଗ ନେଇଥିବା ୧୧୧ ଗୋଟି ସହର ମଧ୍ୟରୁ ନାଗରିକଙ୍କ ମତାମତ ସ୍ତମ୍ଭରେ ଭୁବନେଶ୍ୱରକୁ ୯୪.୮୦ ମିଳିଛି। ଯାହା ଦେଶରେ ସର୍ବାଧିକ। ଭୁବନେଶ୍ବର ଦ୍ବିତୀୟ ସ୍ଥାନ ଅଧିକାର କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। ଏହି ତାଲିକାରେ ଶିମ୍‌ଲା ପ୍ରଥମରେ ଥିବାବେଳେ ଏହା ତଳକୁ ସିଲ୍‌ଭାସା, କାକିନାଡା, ସାଲେମ, ଭେଲ୍ଲୋର, ଗାନ୍ଧୀନଗର,ଗୁରୁଗ୍ରାମ, ଦେବାନାଗରେ ଏବଂ ତିରୁଚିରାପଲ୍ଲୀ ରହିଛି। ତାଲିକାର ନିମ୍ନରେ ବିହାରର ମୁଜାଫରପୁର ସ୍ଥାନିତ ହୋଇଛି।
ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ସହରଗୁଡ଼ିକ ମଧ୍ୟରୁ ବସବାସ ତଥା ଉତ୍କୃଷ୍ଟମାନର ଜୀବନ ଧାରଣ ପାଇଁ କର୍ନାଟକର ବେଙ୍ଗାଲୁରୁ ସର୍ବୋତ୍କୃଷ୍ଟ। ଏହା ପରେ ପୁଣେ, ଅହମଦାବାଦ, ଚେନ୍ନାଇ, ସୁରଟ, ନଭି ମୁମ୍ବାଇ, କୋଏମ୍ବାଟୁର, ବଡୋଦରା, ଇନ୍ଦୋର ଓ ଗ୍ରେଟର ମୁମ୍ବାଇ ଯଥାକ୍ରମେ ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ବା ଜୀବନଧାରଣ ମାନକ ତାଲିକାରେ ସ୍ଥାନିତ ହୋଇଛି। ଅନ୍ୟପକ୍ଷରେ ବରେଲି, ଧାନବାଦ, ଶ୍ରୀନଗର ଆଦି ସହର ଏହି ତାଲିକାର ଶେଷ ଆଡ଼କୁ ରହିଛି। ଏହି ତାଲିକାରେ ଦିଲ୍ଲୀ ୧୩ତମ ସ୍ଥାନରେ ରହିଛି। ୧୦ ଲକ୍ଷରୁ କମ୍‌ ଲୋକ ରହୁଥିବା ‘ମ୍ୟୁନିସିପାଲ ପରଫରମାନ୍ସ ଇଣ୍ଡେକ୍ସ’ରେ ନୂଆଦିଲ୍ଲୀ ଶୀର୍ଷରେ ରହିଛି। ୧୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ‘ମ୍ୟୁନିସିପାଲ ପରଫରମାନ୍ସ ଇଣ୍ଡେକ୍ସ’ ବର୍ଗରେ ଉନ୍ନତ ମାନର ଜୀବନଧାରଣ ପାଇଁ ଇନ୍ଦୋର ପ୍ରଥମ ସ୍ଥାନରେ ରହିଥିବା ତଳେ ଏହା ତଳକୁ ସୁରଟ, ଭୋପାଳ ସହର ରହିଛି।