Categories: ରାଜ୍ୟ

ତୋରଣରେ ‘କମିଶନରେଟ୍‌ ପୋଲିସ’

୧୯୭୮ରୁ ଆରମ୍ଭ ହୋଇଥିଲା ପୂଜା
ମା’ ଦଶଭୁଜାଙ୍କ ଆବାହନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ତୋରଣ କରି ଚର୍ଚ୍ଚାରେ ରହିବାକୁ ସମସ୍ତ ପୂଜା କମିଟି ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଚଳିତ ବର୍ଷ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଭିନ୍ନ ଧରଣର ତୋରଣ କରାଯିବା ପାଇଁ ଯୋଜନା ହୋଇଛି। ଚଳିତ ବର୍ଷ ସମିତି ଏହାର ୪୪ତମ ପୂଜା ଆୟୋଜନ କରୁଛି। ୧୯୭୭ ମସିହାରୁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ବାସଗୃହ ନିର୍ମାଣ ହୋଇ ନଗର ସ୍ଥାପନା ହୋଇଥିଲା। ଏହାପରେ ଭିଏସ୍‌ଏସ୍‌ ନଗରରେ ୧୯୭୮ ମସିହାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ପୂଜାର ବଜେଟ ୮ଲକ୍ଷ ଟଙ୍କା ରଖାଯାଇଛି। ଏଥର ପୂଜାମଣ୍ଡପରେ ଭୁବନେଶ୍ୱର କମିଶନରେଟ୍‌ ପୋଲିସର କାର୍ଯ୍ୟାଳୟ କୋଠା ଆକର୍ଷଣ ସାଜିବ। ଏହାର ଉଚ୍ଚତା ପ୍ରାୟ ୪୦ ଫୁଟ ରହିବ। ସେହିପରି ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ଏବଂ ବାରଙ୍ଗ ଫୁଲ ପୋଖରୀରୁ ଆସୁଥିବା ଜରି ମେଢ଼ର ଉଚ୍ଚତା ୧୮ ଫୁଟ ରହିବ। ସୁନିଆ ତିଥିରେ କୁଆଖାଇ ନଦୀରୁ ମାଟି ଅନୁକୂଳ ହେବ। ଏହାପରେ କୋଲକାତା କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯିବ। ମା’ଙ୍କ ସହିତ ପାର୍ଶ୍ୱ ଦେବଦେବୀଙ୍କ ଶରୀରରେ ରୁପା ମୁକୁଟ ଓ ରୁପାହାର ଶୋଭା ପାଇବ। ଭିଏସ୍‌ଏସ୍‌ ନଗର ଦୁର୍ଗାପୂଜା ପରମ୍ପରା ଅନୁଯାୟୀ ଅଷ୍ଟମୀରେ ଖେଚୁଡ଼ି ଡାଲମା ଓ ଦଶମୀରେ ଦହିପଖାଳ, ଶାଗଭଜା ଭୋଗ କରାଯିବ। ଦୁଇବର୍ଷ ପରେ ମା’ଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯିବ। ଏଥିପାଇଁ ସମିତି ପକ୍ଷରୁ ନବମୀ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ। କଣ୍ଠଶିଳ୍ପୀ ସୁଧାକର ମିଶ୍ର, ରବୀନ୍ଦ୍ର ମହାପାତ୍ର ଓ ସାଥୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ନିୟମ ଅନୁଯାୟୀ କଲୋନୀର ସବୁ ଘରେ (ପ୍ରାୟ ୨୫୦୦ ଘର) ଭୋଗ ଦିଆଯିବା ସହିତ ପୂଜା ପରେ ସମସ୍ତ ଆଦାୟ ଓ ଖର୍ଚ୍ଚର ହିସାବ ଦିଆଯିବ। ସେହିପରି ଭସାଣି ଦିନ ଭିଏସ୍‌ଏସ୍‌ ନଗରରୁ ଶହୀଦନଗର, ରୁପାଲି ଛକ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଭସାଣି ଯାତ୍ରା ହୋଇ କୁଆଖାଇ ନଦୀରେ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣି ଯାତ୍ରାରେ ପାରମ୍ପରିକ ଶିଙ୍ଗବାଜା ସହିତ ଡିଜେ ବାଜା ପ୍ରକମ୍ପନରେ ମା’ଙ୍କୁ ମେଲାଣି ଦିଆଯିବ।