ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ହଟାଇବା ପାଇଁ ଏକ ସ୍କୁଲ ବସ୍କୁ ଠେଲି ଆଗକୁ ନେଉଥିବା ବେଳେ, ମୋନିକା ଶୁକ୍ଲା କୌଣସି ଭୟ ନକରି ବସ୍ ସାମ୍ନାରେ ଛାତି ଟାଣ କରି ଠିଆ ହୋଇପଡ଼ିଥିଲେ। ଶେଷରେ ବସ୍ ଅଟକିଯିବା ସହ ଏକ ସମ୍ଭାବ୍ୟ ଅଘଟଣ ଏଡ଼ାଯାଇଥିଲା।
ସୂଚନା ଅନୁସାରେ, କୃଷକମାନଙ୍କ ବିରୋଧ ପ୍ରଦର୍ଶନ ସମୟରେ କିଛି ଲୋକ ଏକ ବସ୍କୁ ଆଗକୁ ନେଇ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ACP ମୋନିକା ଶୁକ୍ଲା କୌଣସି ଭୟ ନକରି ବସ୍ ସାମ୍ନାକୁ ଚାଲି ଆସିଥିଲେ ଏବଂ ଡ୍ରାଇଭରଙ୍କୁ ବସ୍ ଅଟକାଇବାକୁ ସଙ୍କେତ ଦେଇଥିଲେ। କିଛି ସମୟ ପର୍ଯ୍ୟନ୍ତ ବସ୍ ତାଙ୍କ ଆଡ଼କୁ ଆଗକୁ ବଢ଼ିଥିଲେ ମଧ୍ୟ ସେ ନିଜ ସ୍ଥାନରୁ ହଟିନଥିଲେ। ଶେଷରେ ବସ୍ ଅଟକି ଯାଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଅନେକେ ତାଙ୍କୁ “ଲେଡି ସିଂଘମ୍” ବୋଲି ପ୍ରଶଂସା କରୁଛନ୍ତି । ତେବେ ମୋନିକା ଶୁକ୍ଲା କହିଛନ୍ତି, ଏହା କୌଣସି ଅସାଧାରଣ କାମ ନୁହେଁ, ପରିସ୍ଥିତି ଦେଖି ସେ କେବଳ ନିଜ କର୍ତ୍ତବ୍ୟ ପାଳନ କରିଥିଲେ । ସେ କହିଛନ୍ତି, ତାଙ୍କର ପ୍ରାଥମିକତା ଥିଲା ଆଇନଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ଅଘଟଣକୁ ରୋକିବା।
ମୋନିକା ଶୁକ୍ଲା ମଧ୍ୟପ୍ରଦେଶ ପୋଲିସର ଜଣେ ବରିଷ୍ଠ ଅଧିକାରୀ। ସେ ଦୀର୍ଘ ଦିନ ଧରି ଆଇନଶୃଙ୍ଖଳା ପରିଚାଳନା ସହ ଜଡ଼ିତ ରହିଛନ୍ତି ଏବଂ ପୂର୍ବରୁ ମଧ୍ୟ ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ସାହସିକ ଭୂମିକା ନେଇଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ IPS ଅଧିକାରୀ ବୋଲି ଜଣାପଡ଼ିଛି।