୩ ମାସ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର,୩ା୫(ଭାସ୍କର ରାଉତରାୟ):ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ରାଜନଗର ବନ ବିଭାଗ ପକ୍ଷରୁ ଚଳିତମାସ ୧ ତାରିଖଠାରୁ ଜୁଲାଇ ୩୧ ଦୀର୍ଘ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ବନ୍ଦ ରଖାଯିବ। ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମା’ କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି। ଏହି ସମୟ ଭିତରେ ମା’ କୁମ୍ଭୀର ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଥାନ୍ତି। ଉଭୟ ମା’ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢେଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି। ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି। ଏହି ବସାରେ ମା’ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି। ସେମାନଙ୍କର ପ୍ରଜନନ ପ୍ରକ୍ରିୟାଠାରୁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କ ପ୍ରକ୍ରିୟାରେ ବାଧା ଦେଖା ଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରଖାଯିବ ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।