Categories: ଜାତୀୟ

ଅଖିଲେଶ-ଚନ୍ଦ୍ରଶେଖରଙ୍କ ମଧ୍ୟରେ ହେବ ଆସନ ବୁଝାମଣା

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ମେଣ୍ଟ ହେବା ନେଇ ନିଷ୍ପତ୍ତି ହୋଇଛି।

ମେଣ୍ଟ ସମ୍ପର୍କରେ ଉଭୟ ନେତା ଶନିବାର ଖବରଦାତା ସମ୍ମିଳନୀରେ ଘୋଷଣା କରିବେ। ମଧ୍ୟାହ୍ନ ସାଢେ ୧୨ରେ ଏହି ଖବରଦାତା ସମ୍ମିଳନୀ ଡକାଯାଇଛି। ମେଣ୍ଟ ଘୋଷଣା ପୂର୍ବରୁ ଚନ୍ଦ୍ରଶେଖର କହିଛନ୍ତି, ସମାଜବାଦୀ ପାର୍ଟି ସହ ମେଣ୍ଟ ହେବାନେଇ ନିଷ୍ପତ୍ତି ଚୂଡାନ୍ତ ହୋଇଛି। ସମ୍ମିଳନୀରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଶରଦ ପାୱାରଙ୍କ ଏନ୍‌ସିପି, ଆର୍‌ଏଲ୍‌ଡି, ଜନୱାଦି ପାର୍ଟି(ସୋସିଆଲିଷ୍ଟ), ଆପନା ଦଳ, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଲୋହିଆ ଓ ମହାନ ଦଳ ସହ ମେଣ୍ଟ କରି ସାରିଛି। ଏବେ ଆଜାଦଙ୍କ ଦଳ ଏଥିରେ ସାମିଲ ହେବାକୁ ଯାଉଛି। ଆଜାଦଙ୍କ ସହ ହାତ ମିଳାଇ ଏସ୍‌ପି ଦଳିତ ଭୋଟ ହାତେଇବାକୁ ପାଇଁ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ୪୦୩ ଆସନ ପାଇଁ ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ପ୍ରକ୍ରିୟା ମାର୍ଚ୍ଚ ୭ରେ ଶେଷ ହେବ। ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

 

Share