Categories: ଜାତୀୟ

ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ଚେନ୍ନାଇ, ୨୫ା୬: ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ ସେମାନଙ୍କ ବିଭିନ୍ନ କାର୍ଯ୍ୟଦକ୍ଷତାକୁ ଭିତ୍ତିକରି ଏଭଳି ସମ୍ମାନ ପ୍ରଦାନ କରାଯାଉଥିବା ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ପକ୍ଷରୁ ବୁଧବାର ପ୍ରକାଶ କରାଯାଇଛି। ଏହି ପୁରସ୍କାର ଲୋକ ସଭାର ୮ ଓ ରାଜ୍ୟ ସଭାର ୨ ସଦସ୍ୟଙ୍କୁ ମନୋନୀତ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଡଃ. ଏ.ପି.ଜେ. ଅବଦୁଲ କଲାମ୍‌ଙ୍କ ପରାମର୍ଶକ୍ରମେ ପ୍ରାଇମ୍‌ ପଏଣ୍ଟ୍‌ ଫାଉଣ୍ଡେଶନ ପକ୍ଷରୁ ୨୦୧୦ରୁ ସଂସଦରେ ସର୍ବୋତ୍କୃଷ୍ଟ କାର୍ଯ୍ୟଦକ୍ଷତା ଦେଖାଇଥିବା ସଦସ୍ୟଙ୍କୁ ପୁରସ୍କୃତ କରାଯାଇଆସୁଛି। ଏହାର ପ୍ରଥମ ସଂସ୍କରଣ ଡଃ କଲାମ୍‌ଙ୍କ ଦ୍ୱାରା ୨୦୧୦ ମେ’ରେ କରାଯାଇଥିଲା।
ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଅନ୍ୟ ଲୋକ ସଭା ସଦସ୍ୟମାନେ ହେଲେ ପି. ସି. ଗଡିଗୌଦର, ସୁପ୍ରିୟା ସୁଲେ, ସୁଭାଷ ରାମରାଓ ଭାମ୍ରେ, ଅମୋଲ ରାମସିଂ କୋହ୍ଲେ, ଶଶୀ ଥରୁର୍‌, ନିଶିକାନ୍ତ ଦୁବେ, ଅଜୟ ମିଶ୍ର ଓ ରାମ୍‌ ମୋହନ ନାଇଡ଼ୁ।
ସେହିଭଳି ରାଜ୍ୟ ସଭାରୁ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଶାଦ ଓ କଂଗ୍ରେସ ସାଂସଦ ଛାୟା ବର୍ମା ଏଥିଲାଗି ମନୋନୀତ ହୋଇଛନ୍ତି। ଚଳିତବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସଭା ସଦସ୍ୟଙ୍କୁ ସ୍ଥାନ ମିଳିଛି। ଷୋଡ଼ଶ ଲୋକ ସଭାରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଦେଖାଇଥିବା ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ କେତେଜଣ ସାଂସଦଙ୍କୁ ସମ୍ମାନିତ କରାଯିବ। ପ୍ରକାଶଥାଉ କି, ପ୍ରତି ୫ ବର୍ଷରେ ଥରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

Share