Categories: ଜାତୀୟ

୧୪୫ ଦିନରେ ୪୦୦୦ କିଲୋମିଟର ଯାତ୍ରା, ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା.., ଶେଷ ହେବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୩୦ ।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ତାମିଲନାଡୁର କନ୍ୟା କୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪୫ ଦିନରେ ୧୨ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ପ୍ରାୟ ୪୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପହଞ୍ଚିଛି । ଏଠାରେ ଥିବା ଐତିହାସିକ ଲାଲ ଚୌକରେ ରାହୁଲ ତ୍ରିରଙ୍ଗା ଉଡାଇବା ସହ କହିଛନ୍ତି ଭାରତକୁ ଦେଇଥିବା କଥା ପୂରଣ ହୋଇଛି । ଏହି ଯାତ୍ରାକୁ ସେ ତାଙ୍କ ଜୀବନର ସବୁଠାରୁ ବଡ ଓ ସୁନ୍ଦର ଅନୁଭୁତି ବୋଲି କହିଛନ୍ତି ।
ସୋମବାର ଶ୍ରୀନଗରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡାଇବା ସହ ଭାରତ ଯୋଡୋ ଯାତ୍ରା ସ୍ମାରକର ଉଦଘାଟନ କରିବେ । ପରେ ଏସକେ ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ ବି କରାଯାଇଛି । ଏଥିପାଇଁ କଂଗ୍ରେସ ପକ୍ଷରୁ ଏକ ଡଜନରୁ ଅଧିକ ବିରୋଧି ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ ଦଳ ହାଇକମାଣ୍ଡଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ କି କେତେ ବିରୋଧି ରାଜନୈତିକ ଦଳ ଭାରତ ଯୋଡୋ ଯାତ୍ରାର ସମାପନ କାର୍ଯ୍ୟକ୍ରମରେ ସାମିଲ ହେବେ । ହେଲେ ମଲ୍ଲିକାର୍ଜୁନ ଖର୍ଗେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠିଲେଖି ସଭା ପାଇଁ ଉଚିତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କହିଛନ୍ତି ।
କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରାର ପ୍ରଭାବ ଆଗାମୀ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ ପଡିବ ବୋଲି ଦଳ ଆଶା ରଖିଛି ।

Share