ଭାରତକୁ ଯୋଡ଼ିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ମୂଳଲକ୍ଷ୍ୟ: ରାହୁଲ

ସୁନ୍ଦରଗଡ,୬ା୨(ଜୟ ନାରାୟଣ ମେଣ୍ଡୁଳି): ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛି। ଏହି ଅବସରରେ ରାହୁଲ ଗାନ୍ଧୀ ଉଦ୍‌ବୋଧନ ଦେଇ, ଓଡ଼ିଶା ଆସି ବହୁତ ଭଲ ଲାଗୁଥିବା କହିଛନ୍ତି। ଏପରିକି ଭାରତକୁ ଯୋଡିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାହୁଲ କହିଛନ୍ତି। ୩ ଦିନଯାଏଁ ଓଡ଼ିଶାରେ ରହିବି। ଆଦିବାସୀ, ଗରିବଙ୍କ ସମସ୍ୟା ବୁଝିବି ବୋଲି ରାହୁଲ କହିଛନ୍ତି।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରା ପ୍ରସାଦ ବାହିନୀପତି, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସମେତ ବହୁ ନେତୃବୃନ୍ଦ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବୁଧବାର ରାମପାଲରୁ ଯାତ୍ରା ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବ। ପୂର୍ବାହ୍ନରେ ଆମ୍ବେଡ଼କର ଛକରୁ ପଦଯାତ୍ରା ବାହାରି ପ୍ରାୟ ୩.୪ କିଲୋମିଟର ଦୂର ପାନପୋଷ ଛକରେ ପହଞ୍ଚିବ। ସେଠାରେ ଜନସମାବେଶରେ ରାହୁଲ ଯୋଗଦେବେ। ପରେ ପୁଣି ଯାତ୍ରା ଆରମ୍ଭ ହୋଇ ରାଣୀବନ୍ଧ(ରାଜଗାଙ୍ଗପୁର)ରେ ପହଞ୍ଚିବା ପରେ ରାହୁଲ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି ରାହୁଲ ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ପରେ ପଦଯାତ୍ରା ଅପରାହ୍ନ ସାଢେ ୪ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବା ପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ। ସେଠାରେ ରାହୁଲ ଜନସମାବେଶରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଯାଇ ଅମଲିପାଲିରେ ରାତ୍ରିଯାପନ କରିବେ। ୮ ତାରିଖ ସକାଳ ୮ଟାରୁ ଯାତ୍ରା ଝାରସୁଗୁଡ଼ା ପୁରୁଣା ବସ୍‌ଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକରୁ ବାହାରି ବେହେରାମାଲ କିଷାନ ଛକରେ ପହଞ୍ଚିବ। ସେଠାରେ ଜନସଭାରେ ରାହୁଲ ଉଦ୍‌ବୋଧନ ଦେବେ। ପରେ ଗୋବିନ୍ଦପୁର ମଧୁବନ ଢାବାରେ ପ୍ରାତଃ ବିରତି, କୁରେଇମାଲରେ ମଧ୍ୟାହ୍ନଭୋଜନ ପରେ ଅପରାହ୍ନ ୨ଟାରୁ କନକତୋରାରୁ ଯାତ୍ରା ଆରମ୍ଭ ହେବ। ପଦଯାତ୍ରା ସୀମାନ୍ତ ରେଙ୍ଗାଲିପାଲି ରାୟଗଡ଼ ଦେଇ ଛତିଶଗଡ଼ରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି।