ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ ସ୍ୱଚ୍ଛତା ଆଣିବା ଏବଂ ନକଲି କନେକ୍ସନ ଚିହ୍ନଟ କରିବା ପାଇଁ ଇ-କେୱାଇସି (e-KYC) କରିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଜୁନ୍ ୩୦ କୁ ଶେଷ ତାରିଖ (Deadline) ଧାର୍ଯ୍ୟ କରାଯାଇଛି। ଯଦି ଆପଣ ଏହି ସମୟ ସୀମା ମଧ୍ୟରେ ନିଜର କେୱାଇସି ଅପଡେଟ୍ ନକରନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଗ୍ୟାସ ସବସିଡି (Subsidy) ଅଟକି ଯାଇପାରେ କିମ୍ବା ସିଲିଣ୍ଡର ବୁକିଂରେ ସମସ୍ୟା ଦେଖାଦେଇପାରେ।

ଏହି ପ୍ରକ୍ରିୟାକୁ ଆପଣ ଘରେ ବସି ନିଜ ମୋବାଇଲ୍ ସାହାଯ୍ୟରେ ସହଜରେ କରିପାରିବେ। ତଳେ ଏହାର ସମ୍ପୂର୍ଣ୍ଣ ଷ୍ଟେପ୍-ବାଇ-ଷ୍ଟେପ୍ ପ୍ରକ୍ରିୟା ଦିଆଗଲା:

ଆପ୍ ଡାଉନଲୋଡ୍ କରନ୍ତୁ: ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନର ଗୁଗଲ୍ ପ୍ଲେ-ଷ୍ଟୋର୍ (Google Play Store) କିମ୍ବା ଆପଲ୍ ଆପ୍ ଷ୍ଟୋରକୁ ଯାଇ ‘Hello BPCL’ ଆପ୍ ଡାଉନଲୋଡ୍ କରନ୍ତୁ। ଏହା ସହିତ ଫେସ୍ ଅଥେଣ୍ଟିକେସନ୍ ପାଇଁ ‘AadhaarFaceRD’ ଆପ୍ ମଧ୍ୟ ଡାଉନଲୋଡ୍ କରି ରଖନ୍ତୁ।

ଆପ୍ ଖୋଲିବା ପରେ ଆପଣଙ୍କ ଗ୍ୟାସ କନେକ୍ସନ ସହ ଲିଙ୍କ୍ ଥିବା ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ଦିଅନ୍ତୁ। ଆପଣଙ୍କ ମୋବାଇଲକୁ ଏକ ଓଟିପି (OTP) ଆସିବ, ତାହାକୁ ଦେଇ ଆପ୍‌ରେ ଲଗ୍-ଇନ୍ କରନ୍ତୁ।

ହୋମ୍ ପେଜ୍‌ରେ ଥିବା ‘Bharatgas’ ଆଇକନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଆକାଉଣ୍ଟର ବିବରଣୀ ସାମ୍ନାକୁ ଆସିବ। ସେଠାରେ ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ଏହାପରେ ଆପଣଙ୍କ ଆଧାର ନମ୍ବରର ଶେଷ ୪ଟି ଅଙ୍କ ଦେଖାଯିବ। ତଳେ ଥିବା ସର୍ତ୍ତାବଳୀକୁ ସ୍ୱୀକାର କରି ‘Proceed’ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ, ତାହାକୁ ଏଣ୍ଟର କରନ୍ତୁ।

ଓଟିପି ଯାଞ୍ଚ ହେବା ପରେ ଆପଣଙ୍କ ମୋବାଇଲର ସାମ୍ନା କ୍ୟାମେରା ଖୋଲିବ। ନିଜ ଆଖି ପିଛୁଳା ମାରି (Blink କରି) ନିଜର ଚେହେରାକୁ ସ୍କାନ୍ କରନ୍ତୁ। ଫେସ୍ ମ୍ୟାଚ୍ ହେବା ମାତ୍ରେ ଆପଣଙ୍କ ସ୍କ୍ରିନ୍‌ରେ ‘e-KYC ସଫଳ ହେଲା’ ବୋଲି ମେସେଜ୍ ଆସିଯିବ।

ଯଦି ଆପଣଙ୍କର ଅନଲାଇନ୍ ମାଧ୍ୟମରେ କେୱାଇସି କରିବାରେ କୌଣସି ଅସୁବିଧା ହେଉଛି, ତେବେ ଆପଣ ନିଜର ଆଧାର କାର୍ଡ ଧରି ନିକଟସ୍ଥ ଗ୍ୟାସ୍ ଏଜେନ୍ସି/ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯାଇ ବାୟୋମେଟ୍ରିକ୍ (ଫିଙ୍ଗରପ୍ରିଣ୍ଟ) ଜରିଆରେ ମଧ୍ୟ ଏହି କାମ ମାଗଣାରେ କରିପାରିବେ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ ଥରେ ହେଲେ ବି କେୱାଇସି କରିନାହାନ୍ତି, ସେମାନଙ୍କ ପାଇଁ ଏହା ବାଧ୍ୟତାମୂଳକ। ଉଜ୍ଜ୍ୱଳା ଯୋଜନାର (PMUY) ଗ୍ରାହକମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ ଥରେ ଏହି କେୱାଇସି କରିବାକୁ ପଡ଼ିବ।

Share