ଭଞ୍ଜନଗର ଠାକୁରାଣୀ ଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତରେ ଝୁମିଲେ ଦର୍ଶକ

ଭଞ୍ଜନଗର, ୧୫।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୨୦ତମ ଦିନରେ ପହଞ୍ଚିଛି। ଏହି ଅବସରରେ କବି ସମ୍ରାଟ ରଙ୍ଗମଞ୍ଚରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭଞ୍ଜନଗର ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମୁନା କାଲୁଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନଏସିର ପୂର୍ବତନ ଅଧ୍ୟକ୍ଷା ସୁନିତା ଦଳବେହେରା, ପୂର୍ବତନ ଉପାଧ୍ୟକ୍ଷ ଏ. ବିଶ୍ୱନାଥ ପାତ୍ର, ପୂର୍ବତନ ଉପାଧ୍ୟକ୍ଷା ସୁଦେଷ୍ଠା ନାୟକ, ଭାଗ୍ୟଲତା ବିଷୋୟୀ, ପୂର୍ବତନ ଉପାଧ୍ୟକ୍ଷ ଶିବରାମ ନାୟକ, କୁଲାଡ଼ ସମିତି ସଭ୍ୟା ରେଣୁକା ପାତ୍ର, ସାନକୋଦଣ୍ଡା ସମିତି ସଭ୍ୟା ନମିତା ନାଇକ, ଡିହପଢ଼ାଲ ସମିତି ସଭ୍ୟା କୁନି ବିଷୋୟୀ, ତିଲିସିଙ୍ଗି ସମିତି ସଭ୍ୟ ସୁବାସ ଚନ୍ଦ୍ର ପ୍ରଧାନ, ବଡ଼କୋଦଣ୍ଡା ସମିତି ସଭ୍ୟ ମନୋଜ କୁମାର ପୃଷ୍ଟି, ଗୋଲାପଡ଼ା ସମିତି ସଭ୍ୟ ପିତବାସ ପ୍ରଧାନ, ଡୁମାକୁମ୍ପା ସମିତି ସଭ୍ୟ ନାରାୟଣ ବେହେରା, ଗାଲେରୀ ସମିତି ସଭ୍ୟା ମାମାଜିନି ଗୌଡ଼, ଗୁଣ୍ଡିରିବାଡ଼ି ସମିତି ସଭ୍ୟ ଶ୍ରୀନିବାସ ବିଶ୍ୱାଳ ଏବଂ ଦଦରାଲୁଣ୍ଡା ସମିତି ସଭ୍ୟା କୁନି ବେହେରା ପ୍ରମୁଖ ଯୋଗଦେଇ ଭଞ୍ଜନଗର ଯାତ୍ରାର ଐତିହ୍ୟ ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ପାଦକ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭଞ୍ଜନଗର ଅଞ୍ଚଳର ଜଣାଶୁଣା ମଞ୍ଚ ପରିଚାଳକ ସୁଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭୁବନେଶ୍ୱରର ‘ସୁରତାଲ୍’ ଅର୍କେଷ୍ଟ୍ରା ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତର ଯାଦୁରେ ଦର୍ଶକମାନେ ବିଭୋର ହୋଇ ଝୁମିଥିଲେ।

ଅନ୍ୟପକ୍ଷରେ, ମହାବିଷୁବ ସଂକ୍ରାନ୍ତି ଅବସରରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଶ୍ୱଶାନ୍ତି ନିମନ୍ତେ ଦିନତମାମ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାତି ୭ଟା ୩୦ ମିନିଟରେ ଏହାର ପୂର୍ଣ୍ଣାହୁତି ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ-ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ବରିଷ୍ଠ କର୍ମକର୍ତ୍ତା ସନ୍ତୋଷ ତିଆଡ଼ି, ଉପ ସଭାପତି ମୁରଲୀ ପଣ୍ଡା ଏବଂ ସମ୍ପାଦକ ସୁଧୀର ରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ସଂକ୍ରାନ୍ତି ଯୋଗୁ ଦେବୀଙ୍କ ନଗର ଭ୍ରମଣ ସାମୟିକ ଭାବେ ବନ୍ଦ ଥିବା ବେଳେ ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ସୂଚନାଯୋଗ୍ୟ ଯେ, ଆସନ୍ତା ମେ ୧୯ ତାରିଖରେ ସିଂହବାହିନୀ ଯାତ୍ରା ଅନୁଷ୍ଠିତ ହେବ ଏବଂ ୨୦ ତାରିଖରେ ଏହି ପ୍ରସିଦ୍ଧ ଯାତ୍ରା ଉଦ୍‌ଯାପିତ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Dharitri – Odisha’s No.1 Odia Daily

Share