ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସ୍‌ଏନ୍‌ସିୟୁ

ଭଞ୍ଜନଗର, ୨୭/୧୧ (ବାବୁଲା ପ୍ରଧାନ): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍‌ଏନ୍‌ସିୟୁ)କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଉଲ୍ଲେଖନୀୟ ସେବା ଓ ସଫଳତା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଡାକ୍ତର, ନର୍ସିଂ ଅଫିସର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ସେବା ଯୋଗୁଁ ଅତ୍ୟନ୍ତ କମ୍ ଓଜନର ନବଜାତ ଶିଶୁମାନଙ୍କୁ ମଧ୍ୟ ଉନ୍ନତ ଚିକିତ୍ସା ମାଧ୍ୟମରେ ନୂଆ ଜୀବନ ଦିଆଯାଇପାରୁଛି। ମା’ ଓ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଏବଂ ଶିଶୁର ସର୍ବାଙ୍ଗୀଣ ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ଏହି ସଫଳତା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୌରବମୟ ଉପଲବ୍ଧି ଭାବେ ପରିଗଣିତ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଏହିଭଳି ୩୦ଟି ନବଜାତ ଶିଶୁ ଯତ୍ନ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକର ବିଗତ ୬ ମାସର ସ୍ୱାସ୍ଥ୍ୟସେବାକୁ ଭିତ୍ତିକରି ୪ଟି ଚିକିତ୍ସାଳୟକୁ ପୁରସ୍କୃତ କରାଯାଇଛି। ସେଗୁଡ଼ିକ ହେଲା ଦେବଗଡ଼ ଜିଲ୍ଲା ଚିକିତ୍ସାଳୟ, ପୁରୀ ଜିଲ୍ଲା ଚିକିତ୍ସାଳୟ, ରାଇରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ଏବଂ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ।

ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ଅନ୍ୟପକ୍ଷରେ, ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି।

ଏଭଳି ପରିସ୍ଥିତିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁକୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଗର୍ବର ବିଷୟ ହୋଇଛି।

Share