ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ରୋଟାରୀ ଜିଲା ୩୨୬୨ର ଶ୍ରେଷ୍ଠ କ୍ଲବ ତାଲିକାରେ ଷଷ୍ଠ ସ୍ଥାନ ଅଧିକାର କରି ଗୌରବ ହାସଲ କରିଥିବା ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ରବିବାର ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରେ ଏକ ଉତ୍ସବ ହୋଇଥିଲା। ଏହି ଉତ୍ସବରେ କ୍ଲବର ସଦସ୍ୟମାନେ ଏକତ୍ରିତ ହୋଇ ସଫଳତାର ଆନନ୍ଦ ବାଣ୍ଟିବା ସହ ଭବିଷ୍ୟତରେ ସମାଜସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। କ୍ଲବ ସଭାପତି କେ. ସଞ୍ଜୀବ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୨୦୧୫-୨୬ ବର୍ଷର ସଭାପତି ରଞ୍ଜିତ ବାରିକ ଏବଂ କ୍ଲବର ପ୍ରାକ୍ତନ ସମ୍ପାଦକ ଏସ. ଗୁପ୍ତେଶ୍ୱର ସୁବୁଦ୍ଧି ଯୋଗଦେଇ ସମସ୍ତଙ୍କ ସହଯୋଗରେ କ୍ଲବକୁ ଏହି ସଫଳତା ମିଳିଛି ବୋଲି କହିଥିଲେ। ପୂର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାକୁ ଆଗାମୀ ସଭାପତି ରାମଚନ୍ଦ୍ର ମିଶ୍ର ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ବସନ୍ତ କୁମାର ପାତ୍ର, ପୂର୍ବତନ ସମ୍ପାଦକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଓ ସୁଧୀର ପାଣିଗ୍ରାହୀ ପ୍ରମୁଖ ପରିଚାଲନା କରିବାରେ ସହଯୋଗ କରିଥିଲେ। ଶେଷରେ କ୍ଲବ ସମ୍ପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।