ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସି ପକ୍ଷରୁ ରବିବାର ସଂଧ୍ୟାରେ ସ୍ଥାନୀୟ ଟାଉନ ହଲ୍ରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏଥିରେ ଉପାଧକ୍ଷା ଶୁଭଶ୍ରୀ ଦାସ ଅଧ୍ୟକ୍ଷତା କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କ୍ରିଷ୍ଠା ପଣ୍ଡା ବାର୍ଷିକ ବିବରଣୀ ପାଠ ସହ ସହରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାୟତ୍ତ ଶାସନ ଦିବସ ସମ୍ପର୍କରେ କହିବା ସହ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଏସ୍ଡିପିଓ ଡ଼ ଦୀପକ ମିଶ୍ର, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଏମ୍ ପି ପ୍ରତିନିଧି ସନ୍ତୋଷ ତିଆଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଅଶୋକ ମହାପାତ୍ର ସଭାକୁ ସଂଯୋଜନା କରିଥିଲେ। ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ସାସ୍ଥ୍ୟଗତ କାରଣ ଯୋଗୁ ସଭାରେ ଯୋଗ ଦେଇପାରି ନ ଥିଲେ। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁ ସେ ମଧ୍ୟ ସଭାରେ ଯୋଗ ଦେଇ ପାରି ନ ଥିଲେ। ଏହା ପୂର୍ବରୁ ସକାଳେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ବାରା ପତାକା ଉତ୍ତୋଳନ ହୋଇଥିଲା। ଏହାପରେ କିଛି ସମାଜ ସେବା କାର୍ଯ୍ୟ ହୋଇଥିଲା।


