ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ର ବିଭିନ୍ନ ନେତାଙ୍କୁ ପୃଥକ ପୃଥକ ଭାବେ ଭେଟି ଆଲୋଚନା କରିଥିଲେ। ଏହି ସମୟରେ ସମସ୍ତ ନେତାଙ୍କୁ ସେ ମିଳିମିଶି ଦଳକୁ ଆଗକୁ ନେବାପାଇଁ ପରାମର୍ଶ ଦେଇଥିଲେ। ଏହି ସମୟରେ ଜିଲା କଂଗ୍ରେସ ସଭାପତି ବି ଦଣ୍ଡପାଣି ପାତ୍ରଙ୍କ ସମେତ ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଠ ରଥ,ସାଧାରଣ ସମ୍ପାଦକ ବବି ରଥ , ଉପ ସଭାପତି ସୁନାରାମ ସାବତ, ରାଜ୍ୟ ସମ୍ପାଦିକା ସୁଦିପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ କଂଗ୍ରେସ ନେତା ଦେବୀ ବିଷୋୟୀ, ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ,ପୂର୍ବତନ ଜିଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ , ନାରାୟଣ ସେଠି, ଜଗନ୍ନାଥପ୍ରସାଦର ପୂର୍ବତନ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ନେତା ମନୋଜ କୁମାର ସାହୁ ଓ ସୀମା ବିଶୋଇ ପ୍ରମୁଖ ପ୍ରଭାରୀଙ୍କୁ ଭେଟି ସ୍ୱାଗତ କରିଥିଲେ। ଏଥିସହ ଦଳ କିଭଳି ଆଗକୁ ବଢ଼ିବ ସେ ନେଇ ଆଲୋଚନା କରିଥିଲେ।
ସୂଚନା ଯୋଗ୍ୟ ଯେ, ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ଗତ ରାଜ୍ୟ ସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ସେ ବିଧାୟକ ସହ ଜିଲାର ସଭାପତି ଥିଲେ। ତାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଜିଲ୍ଲାରେ ସଂଗଠନ ଆଶାନୁରୂପକ ଭାବେ ବଢ଼ିପାରୁନାହି । ଏହିଭଳି ପରିସ୍ଥିତିରେ ପୂର୍ବତନ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ବି ଦଣ୍ଡପାଣି ପାତ୍ରଙ୍କୁ ବର୍ତ୍ତମାନ ଜିଲା ଦାୟିତ୍ୱ ଦିଆଯାଇଛି। ସେ ଦଳକୁ ଆଗକୁ ନେବାପାଇଁ ଚେଷ୍ଟା ଚଳାଇଛନ୍ତି। ରମେଶ ଙ୍କ ଅନୁପସ୍ଥିତିରେ ଦଣ୍ଡପାଣି ଦଳକୁ କେତେ ଆଗକୁ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷେ ରମେଶଙ୍କୁ ସମର୍ଥନ କରୁଥିବା କଂଗ୍ରେସ ନେତାମାନେ ପ୍ରଭାରୀଙ୍କୁ ଭେଟି ନଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Share