ବାହାନଗା ସ୍କୁଲ୍‌: ଭୂତ ଭୟରେ କମିଲା ଉପସ୍ଥାନ

ବାହାନଗା,୨୨ା୬(ଅରୂପ କୁମାର ଦାସ)ବାହାନଗା ଟ୍ରେନ ଦୁର୍ଘଟଣାକୁ ବୁଧବାର ପୂରିଛି ୧୯ଦିନ। ଉଦ୍ଧାର କାର୍ଯ୍ୟ ଲାଗି ବାହାନଗାବାସୀ ଚାରିଆଡ଼େ ପ୍ରଶଂସା ସାଉଁଟୁଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ବାହାନଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରଖାଯାଇଥିଲା। ସ୍କୁଲ ଶବ ଗୃହ ପାଲଟିଥିବା ହେତୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଭୂତ ଭୟ ଲାଗି ରହିଥିଲା। ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଏସଏମ୍‌ସି କମିଟି ଓ ଜିଲାପାଳଙ୍କ ସହଯୋଗିତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ଶବ ରଖାଯାଇଥିବା ଶ୍ରେଣୀଗୃହ ସହିତ ବାରଣ୍ଡାଗୁଡିକ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ କରାଯିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ବୁଧବାର ବିଦ୍ୟାଳୟ ଖୋଲିଛି। ଏହି ବିଦ୍ୟାଳୟରେ ମୋଟ ୫୬୫ଜଣ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ପ୍ରଥମ ଦିନରେ ଉପସ୍ଥାନ କମ୍‌ଥିଲା। ଛାତ୍ରୀଛାତ୍ରମାନେ ଆଶଙ୍କା ମଧ୍ୟରେ ବିଦ୍ୟାଳୟକୁ ଆସିଥିଲେ। ମୋଟ ୧୧୨ଜଣ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପହଞ୍ଚି ଛାତ୍ରୀଛାତ୍ରଙ୍କ ମନରେ ଥିବା ଭୟକୁ ଦୂର କରିବା ପାଇଁ ମାନସିକ ବିକାଶର ଅଗ୍ରଗତି ଦିଗରେ ଆଲୋଚନା କରିଥିଲେ। ଜିଲା ଶିକ୍ଷାଧିକାରୀ(ଡିଇଓ) ବିଷ୍ଣୁ ଚରଣ ସୂତାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ, ଗଳ୍ପ, କାବ୍ୟ, କବିତା ଆଦି ଆଲୋଚନା କରି ପିଲାମାନଙ୍କ ମନରୁ ଭୟ ଦୂର କରିବାକୁ ପ୍ରୟାସ କରିଥିଲେ। ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ପ୍ରମୁଖ ପିଲାମାନଙ୍କୁ ବୁଝାଶୁଝା କରିବା ସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିବା ସହିତ ଶୋକସଭା କରାଯାଇଥିଲା। ଶେଷରେ ନୂତନ କରି ଶ୍ରେଣୀଗୃହକୁ ପ୍ରବେଶ କରିବା ପୂର୍ବରୁ ପୂଜାର୍ଚ୍ଚନା କରାଯାଇ ଶ୍ରେଣୀଗୃହକୁ ଛାତ୍ରୀଛାତ୍ରମାନେ ପ୍ରବେଶ କରିଥିଲେ।