ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପର ମାଛଗୁଡିକ ତଳମୁଣ୍ଡକୁ ଭାସିଯାଇଥିଲେ। ଏହାଦେଖି ମତ୍ସ୍ୟଜୀବୀଙ୍କ ସହ ଅନ୍ୟ ଲୋକମାନେ ଜାଲ ପକାଇ ୨ଦିନ ଧରି ମାଛ ଧରିବାରେ ବ୍ୟସ୍ତ ରହିଛନ୍ତି। ବହୁ ପରିମାଣରେ ମାଛ ଧରିଥିବାରୁ ନଷ୍ଟ ହୋଇଯିବ ଭାବି ସେମାନେ ୫୦ରୁ ୧୦୦ ଟଙ୍କା ମଧ୍ୟରେ ଏହାକୁ ବିକ୍ରି କରିଥିଲେ। ସୁନ୍ଦର ଜଳସେଚନ ପ୍ରକଳ୍ପରୁ ମାନିଗୁଡା, ତରବୋଡ, ଜଡାମୁଣ୍ଡା, ଜାମବାହାଲି, ଦର୍ଲିପଡା, ହାତୀସରା, ଧରମପୁର, ଗୋହିରାପଦର ଆଦି ଗଁାର ମତ୍ସ୍ୟଜୀବୀ ଓ ସାଧାରଣ ଲୋକ ଭାକୁର, ରୋହି, ମିରକାଳି, ଗ୍ରାସକଟ ଭଳି ମାଛ ଧରି କେଜି ପ୍ରତି ୧୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ବାଲିଆ, ଲେତରା, ମାଗୁର, ଟେଙ୍ଗନା, ବଇରି ଭଳି ଦେଶୀ ମାଛକୁ ୫୦ ଟଙ୍କାରେ ବିକ୍ରୟ କରିଛନ୍ତି। ସେହିପରି ପେଣ୍ଡରାବନ, ବୋଡାଛାପର, ହରିପୁର, ଧରମସାଗର, ଡୁମେରବାହାଲ, କୋନାବିରା, କୋମନା, ରଜନା ବେଲଗଁା ଆଦି ଗଁାରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମାଛ ଘରେ ଘରେ ଗଦା ହୋଇଛି। ଘରର ପୁରୁଷମାନେ ପ୍ରକଳ୍ପକୁ ଯାଇ ମାଛ ଧରି ଆଣୁଥିବା ବେଳେ ମହିଳାମାନେ ଶାଗମାଛ ଦରରେ ବିକ୍ରୟ କରୁଛନ୍ତି। ବଢିପାଣି ଯୋଗୁ କୋମନା, ଉଦ୍ୟାନବନ୍ଧ, ମାନିଗୁଡା, ତରବୋଡ ଅଞ୍ଚଳରେ ମାଛ ଶସ୍ତା ହୋଇଯାଇଛି ା ବର୍ଷର ପ୍ରଥମ ବଡବର୍ଷା ହୋଇଥିବାରୁ ମାଛ ଅଣ୍ଡା ଦେବା ପାଇଁ ଗଭୀର ପାଣିରୁ କମ ପାଣି ଥିବା ସ୍ଥାନକୁ ଚାଲିଆସୁଛନ୍ତି ା ଅଣ୍ଡା ଦେବାପରେ ପୁଣି ଗଭୀର ପାଣିକୁ ଚାଲିଯିବେ। ଗଭୀର ପାଣିକୁ ଯିବା ପୂର୍ବରୁ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡୁଛନ୍ତି ବୋଲି ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ା