ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେ ଦଳକୁ ଆଗକୁ ନେଉଛନ୍ତି। କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ କହିଛନ୍ତି।
ସୋନିଆଙ୍କୁ ଚିଠି ଲେଖି ମୋକିମ ରାହୁଲ ଓ ଖାର୍ଗେଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ।
ମୋକିମ୍ କହିଥିଲେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍ ମୋର’।
ମୋକିମ୍ ବାରମ୍ବାର ନିର୍ବାଚନ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ନ ନେଇ ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ନ୍ତୁ। କଂଗ୍ରେସକୁ ପୁନର୍ଜୀବନ ଦରକାର ଥିବାରୁ ‘ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି’ ସହ ଯୁବ ନେତୃତ୍ୱ ଆବଶ୍ୟକ।
ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ ରେ ନେତୃତ୍ୱ ମିଳିଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍ରେ ହାରିଥିବା ଓ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ ନ କରୁଥିବା ଯୋଗୁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ‘ଅସମ୍ଭବ ବ୍ୟାପାର’। ସେହିପରି ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ।
ସେ ଆହୁରି କହିଥିଲେ ଯେ, ବିଧାୟକ ଥିବାବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ସେ ରାହୁଲଙ୍କୁ ଦେଖା କରିପାରିନଥିଲେ। ରାହୁଲ ‘କୋଟେରୀ ଗ୍ରୁପ୍’ରୁ ନ ବାହାରିଲେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ‘ଭାରତ ଯୋଡ଼ ଯାତ୍ରା’ ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହି ମଧ୍ୟ ତୃଣମୂଳ କର୍ମୀଙ୍କୁ ଭେଟି ନ ଥିବାରୁ ମୋକିମ୍ ନିରାଶା ପ୍ରକାଶ କରିଛନ୍ତି।


