ଭଦ୍ରକ ଷ୍ଟେଶନ ଜନଶୂନ୍ୟ, ଚିନ୍ତାରେ ବ୍ୟବସାୟୀ

ଭଦ୍ରକ ଅଫିସ, ୮ା୧୦- ଭଦ୍ରକ ଷ୍ଟେଶନ ଏବେ କରୋନା ପାଇଁ ଖାଁ ଖାଁ ହୋଇପଡ଼ିଛି। ଗତ ୭ ମାସ ହେଲା ଦ୍ରୁତଗାମୀ କିମ୍ବା ଲୋକାଲ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଷ୍ଟେଶନ ପରିସରରେ ପୂର୍ବଭଳି ଆଉ ଜନଗହଳି ନାହିଁ। ଫଳରେ ଏହି ଷ୍ଟେଶନ ଉପରେ ନିର୍ଭର କରୁଥିବା ଆଖପାଖ ବ୍ୟବସାୟୀ, ଶ୍ରମଜୀବୀ ଓ କିନ୍ନରମାନଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ପରିବାର ପ୍ରତିପୋଷଣ ଲାଗି ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଭଦ୍ରକ ଷ୍ଟେଶନ ଦେଇ ଯାତାୟାତ କରୁଥିବା ଦୂରଗାମୀ ଟ୍ରେନ୍‌ ଓ ପ୍ରାୟ ୧୨ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ ବାତିଲ ହେବା ଯୋଗୁ ଉପକୂଳ ଓଡ଼ିଶାବାସୀଙ୍କ ଜନଜୀବନ ଏକପ୍ରକାର ଠପ୍‌ ହୋଇପଡ଼ିଛି। ଏହି ସେବା ଉପରେ ନିର୍ଭରଶୀଳ ଶ୍ରମଜୀବୀଙ୍କ ଜୀବନ ମଧ୍ୟ ଦୁର୍ବିଷହ ହୋଇପଡ଼ିଛି। କରୋନା ଯୋଗୁ ଭଦ୍ରକ – ହାଓ୍ବଡା ବାଘାଯତୀନ୍‌ ଫାଷ୍ଟ ପାସେଞ୍ଜର, ଭଦ୍ରକ- ପଲାସା ଡିଏମ୍‌ୟୁ, ଯାଜପୁର- ଖଡ଼ଗପୁର ପାସେଞ୍ଜର, ସାନ୍ତରାଗାଛି-ପୁରୀ, ଖୋର୍ଦ୍ଧା-ଖଡ଼ଗପୁର, ଭଦ୍ରକ-ବାଲେଶ୍ୱର, ଭଦ୍ରକ- ପୁରୀ ଏବଂ ଭଦ୍ରକ- ପାରାଦୀପ ଆଦି ୧୨ଟି ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଏହି ଷ୍ଟେଶନରେ ଦୈନିକ ପ୍ରାୟ ୨ ହଜାର ଟିକେଟ ବୁକିଙ୍ଗ କରାଯାଉଥିବା ବେଳେ ଲକ୍ଷାଧିକ ଲୋକ ପାସେଞ୍ଜର ରେଳସେବା ଉପରେ ନିର୍ଭରଶୀଳ କରିଥାନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ ଅନ୍‌ଲକ୍‌-୫ କାର୍ଯ୍ୟକାରୀ କରିସାରିଲାଣି। ରାଜ୍ୟରେ ଯାତ୍ରୀବାହୀ ରେଳସେବା ତୁରନ୍ତ ଲାଗୁ କରିବାକୁ ଷ୍ଟେଶନ ଉପରେ ନିର୍ଭର କରୁଥିବା ବ୍ୟବସାୟୀ କୁନା ସେଠୀ, ଫେରିବାଲା ଯୋଗେଶ ମଣ୍ଡଳ ସୂଚନା ଦେଇଛନ୍ତି। ଷ୍ଟେଶନ ପରିସରରେ ଦୋକାନ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଦୋକାନୀ ତୁରନ୍ତ ଲୋକାଲ ଟ୍ରେନ୍‌ ଚଳାଇବାକୁ ସରକାର ଅନୁମତି ପ୍ରଦାନ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି। ଏହିଭଳି ଯଦି ଆଉ କିଛି ମାସ ଚାଲେ ତେବେ ପରିବାରର ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଚରମ୍ପା ଷ୍ଟେଶନ ରୋଡ୍‌ର ବ୍ୟବସାୟୀମାନେ କହିଛନ୍ତି।