ଭଦ୍ରକ କାଳୀ ପୂଜା: ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ

ଭଦ୍ରକ ଅଫିସ, ୨ା୧୧- ଭଦ୍ରକର ଐତିହାସିକ କାଳୀପୂଜା ଗୁୁରୁବାର ଆରମ୍ଭ ହେବ। ଭଦ୍ରକ କାଳୀ ପୀଠରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଚରମ୍ପାରେ ମଧ୍ୟରାତ୍ରିରୁ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ଏବେ ମା’ଙ୍କ ପୂଜାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପୂର୍ବରୁ ମା’କାଳୀଙ୍କ ପୂଜା ଓ ମେଳା ୧୦ ଦିନ ଧରି ଆୟୋଜିତ ହେଉଥିଲା। କିନ୍ତୁ ଏଥର କରୋନା ପାଇଁ ସବୁ ପ୍ରକାର ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି।
୧୦ ଦିନ ବଦଳରେ ମାତ୍ର ୨ ଦିନ ପରେ ମଣ୍ଡପରୁ ମେଲାଣି ନେବେ ମା’। ଏପଟେ କିନ୍ତୁ ମା’ ଭଦ୍ରକାଳୀଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ସପ୍ତମାତୃକା ବେଶ ଓ ସପ୍ତସତୀ ମହାଯଜ୍ଞ ଅନୁଷ୍ଠିତ ହେବ। କିନ୍ତୁ ଭକ୍ତଙ୍କୁ ଦର୍ଶନ ମନା। ପୀଠ ନିକଟରେ ୧୪୪ ଧାରା ଜାରି କରିଛି ଜିଲା ପ୍ରଶାସନ। ଚରମ୍ପାର ପଥରକାଳୀ, ହାଇସ୍କୁଲ ପଡ଼ିଆ, ଏରେଇଁ, ବିଶାଣୀଖରିଦା, ଷ୍ଟେଶନ, ଓଏସ୍‌ଆର୍‌ଟିସି ସମେତ ୧୩ଟି ପୂଜା ମଣ୍ଡପରେ ମା ପୂଜା ପାଇବେ। କୋଭିଡ଼ କଟକଣା ମଧ୍ୟରେ ପୂଜାର ଆୟୋଜନ କରାଯିବ। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପୂଜା ଫିକା ପଡ଼ୁଥିବାରୁ କମିଟି ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଦୁଃଖ ଦେଖାଦେଇଛି। ପୂଜାକୁ ସୂଚାରୁ ରୂପେ ତୁଲାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରରେ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯିବ। ପ୍ରତି ପୂଜା ମଣ୍ଡପରେ ଆୟୋଜକଙ୍କୁ ମିଶାଇ ୭ଜଣ ରହିପାରିବେ। କିନ୍ତୁ ଭକ୍ତ ଏଥର ମା’ଙ୍କୁ ଦର୍ଶନ କରିପାରିବେ ନାହିଁ। ରାତିରେ କାରିଗରର ଶେଷ ସ୍ପର୍ଶ ଅପେକ୍ଷାରେ ମୂର୍ତ୍ତି ଗୁଡ଼ିକ ରହିଛି। କରୋନା କଟକଣା କାରଣରୁ ଚଳିତ ବର୍ଷ ମୀନାବଜାର, ଯାତ୍ରା ପରିବେଷଣ, ଦୋକାନ ବଜାର ଖୋଲା ଯିବାକୁ ମନା କରାଯାଇଥିବାରୁ ଚରମ୍ପା କାଳୀପୂଜା ବଜାର ଏଥର ଖାଁ ଖାଁ ଲାଗିବ। ଆୟୋଜକ କେବଳ ମାଙ୍କ ପୂଜାବିଧି ଉପରେ ଗୁରୁତ୍ୱ ଦେଇଛନ୍ତି। ସାଜସଜା ମଧ୍ୟ ଗତବର୍ଷ ଭଳି ଦେଖିବାକୁ ମିଳିବ ନାହିଁ ବୋଲି ଚରମ୍ପାବାସୀ ପ୍ରତିକ୍ରିୟା ରଖିଛନ୍ତି। ମୋଟାମୋଟି କାଳୀପୂଜା ବଜାର ଏକପ୍ରକାର ମାନ୍ଦା ରହିବ ବୋଲି କୁହାଯାଇଛି। ଏହି କଟକଣା କାରଣରୁ ରାଜ୍ୟ ତଥା ରାଜ୍ୟ ବାହାରରୁ ବ୍ୟବସାୟୀ ମାନେ ଆସିବେ ନାହିଁ।