Categories: ଜାତୀୟ

ପବ୍‌ଜି ପରେ ପ୍ଲେ-ଷ୍ଟୋରରୁ ହଟିଲା ବିଜିଏମ୍‌ଆଇ ଗେମ୍‌

ନୂଆଦିଲ୍ଲୀ,୨୭।୭: ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଲ୍ଟିପ୍ଲେୟାର ଯୁଦ୍ଧ ମୋବାଇଲ ଗେମ୍‌ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ(ବିଜିଏମ୍‌ଆଇ) ଏବେ ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟିଛି। ଏହାକୁ ଏବେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀମାନେ ଏହାକୁ ନିଜ ସ୍ମାର୍ଟଫୋନରେ ଆଉ ଡାଉନଲୋଡ କରିପାରିବେ ନାହିଁ। ସୂଚନାଯୋଗ୍ୟ, ପବ୍‌ଜି ମୋବାଇଲ ଇଣ୍ଡିଆ ଭାରତରେ ନିଷେଧ ହେବା ପରେ ଏହାକୁ ଲଞ୍ଚ କରାଯାଇଥିଲା। ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ଏହି ଆପ୍‌ ହଟିବା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କମ୍ପାନୀ ଏହାକୁ କୌଣସି ବଡ଼ ପରିବର୍ତ୍ତନ କରି ମାର୍କେଟକୁ ଆଣିବ କିମ୍ବା ପବ୍‌ଜି ଭଳି ଏହାକୁ ମଧ୍ୟ ଭାରତରେ ପ୍ରତିବନ୍ଧକ ଲଗାଯାଇଛି। ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯଦିଓ ଏହା ତୃତୀୟ ପକ୍ଷ ଏପିକେ ୱେବସାଇଟରୁ ଆଣ୍ଡ୍ରଏଡ୍‌ରେ ଡାଉନଲୋଡ ହୋଇପାରିବ। କିନ୍ତୁ ଏହାକୁ ଆଇଫୋନ୍‌ରେ କୌଣସି ପ୍ରକାରେ ଡାଉନଲୋଡ କରାଯାଇପାରିବ ନାହିଁ। ସୂଚନା ମୁତାବକ, ପବ୍‌ଜି ଓ ବିଜିଏମ୍‌ଆଇ ଏହି ଦୁଇଟି ଗେମ୍‌ ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ୍‌ ଆଇଏନ୍‌ସିର ବୋଲି ଜଣାପଡ଼ିଛି।

Share