Categories: ଜାତୀୟ

ଟାଟୁକୁ ସାବଧାନ, ବ୍ୟାପୁଛି ଏଚ୍‌ଆଇଭି…

ବାରାଣସୀ, ୬।୮ : ବାରାଣସୀରେ ଟାଟୁ ତିଆରି କରିବା ପ୍ରକ୍ରିୟାରେ ଏଚ୍‌ଆଇଭି ବ୍ୟାପିବାରେ ଲାଗିଛି। ଏନେଇ ବାରାଣସୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାର ଡାକ୍ତର ପ୍ରୀତି ଅଗ୍ରୱାଲଙ୍କ ଅନୁଯାୟୀ, ନିକଟରେ ଏଭଳି ଅନେକ ମାମଲା ରୁଜୁ ହୋଇଛି ଯେଉଁଥିରେ ବ୍ୟକ୍ତି ବିଶେଷ ଏଚ୍‌ଆଇଭି ପଜିଟିଭ ହୋଇଛନ୍ତି। କିନ୍ତୁ ଏଚ୍‌ଆଇଭି ପଜିଟିଭ ହେବାର ଚାରୋଟି ମୁଖ୍ୟ କାରଣ ମଧ୍ୟରୁ କୌଣସି ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ବିବେଚନା କରାଯାଇ ପାରି ନ ଥିଲା। ଅନୁସନ୍ଧାନ ପରେ ଜଣାପଡ଼ିଥିଲା ଆକ୍ରାନ୍ତମାନେ ଟାଟୁ କରିଥିଲେ। ଏହା ପରେ ସେମାନଙ୍କର ସ୍ବାସ୍ଥ୍ୟରେ ଅବନତି ହେବାର ଦେଖାଯାଇଥିଲା। ଗ୍ରାମ ମେଳାରେ ଅନେକ ଲୋକ ଟାଟୁ କରିଥିଲେ। ସମାନ ଛୁଞ୍ଚି ବ୍ୟବହାର ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଏହା ଉପରେ ଅଧିକ ଅନୁସନ୍ଧାନ ଚାଲିଛି।

ସାମ୍ନାକୁ ଆସିଥିବା ମାମଲାରେ ବାରାଣସୀର ବାରାଗାଓଁର ଜଣେ ୨୦ ବର୍ଷ ବୟସ୍କ ଯୁବକ, ବାରାଣସୀର ନାଗମା ସହରର ୨୫ ବର୍ଷୀୟା ଯୁବତୀଙ୍କ ସହିତ ପ୍ରାୟ ୧୨ ଜଣ ଲୋକ ଏଭଳି ଥିଲେ, ଯେଉଁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠାଠୁ କରିବା ପରେ ଖରାପ ହେବାକୁ ଲାଗିଥିଲା। ଜ୍ୱର ହେଉଥିଲା। ଲୋକେ ଏହାକୁ ଭାଇରାଲ, ଟାଇଫଏଡ ଅବା ମ୍ୟାଲେରିଆ ବୋଲି ଭାବି ସମସ୍ତ ପରୀକ୍ଷା କରିଥିଲେ।

ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏଚଆଇଭି ପରୀକ୍ଷା କରାଯାଇଥିଲା। ସେମାନଙ୍କର କାହାରି ସହିତ ଶାରୀରିକ ସମ୍ପର୍କ ନଥିଲା। ସେମାନେ ରକ୍ତଦାନ କରି ନଥିଲେ ଅବା ରକ୍ତ ନେଇ ନଥିଲେ। କିନ୍ତୁ କାଉନସେଲିଂ ଉପରେ, ଏହି ସମସ୍ତ ରୋଗୀଙ୍କ ମଧ୍ୟରେ ଗୋଟିଏ ତଥ୍ୟ ସାଧାରଣ ଭାବରେ ଦେଖିବାକୁ ମିଳିଥିଲା ଯେ ନିକଟରେ ସମସ୍ତେ ଟାଟୁ କରିଥିଲେ। ଡକ୍ଟର ପ୍ରୀତି ଅଗ୍ରୱାଲ କହିଛନ୍ତି ଯେ ଟାଟୁ ଛୁଞ୍ଚି ସାତରୁ ଆଠ ଶହ ଟଙ୍କା ମହଙ୍ଗା, ତେଣୁ ଲୋକମାନେ ଶସ୍ତାରେ ସମାନ ଛୁଞ୍ଚିରେ ଟାଟୁ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Share