Categories: ଜାତୀୟ

କରୋନା ଟିକା ପାଇଁ ପଠାଯାଉଥିବା ଲିଙ୍କ୍‌-ଓଟିପିକୁ ସାବଧାନ: ବ୍ୟାଙ୍କ ଖାତା ନିମିଷକେ ହୋଇଯିବ ଖାଲି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ସୁରକ୍ଷିତ ଭାବେ ସାର୍ବଜନୀକ ଟିକାକରଣ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାଇବର ଠକେଇ ଭଳି ଅପରାଧ ବୃଦ୍ଧି ପାଇବାର ଆଶଙ୍କା ଥିବା ନେଇ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ କରାଯାଇଥିବା କେତେକ ଅଭିଯୋଗ ଆଧାରରେ ପୋଲିସ ବିଭାଗ ପକ୍ଷରୁ ଲୋକଙ୍କୁ ଠକାମିରେ ନ ପଡ଼ିବା ଲାଗି ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଛି। କୌଣସି ଅଜଣା ଲିଙ୍କ୍‌ ଏବଂ ଓଟିପି ପ୍ରତି ସାବଧାନ ରହିବାକୁ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଅଜଣା ଲିଙ୍କ୍‌କୁ କ୍ଲିକ୍‌ ନ କରିବାକୁ ପରାମର୍ଶ ଦିଆଯାଇଛି। ଫୋନ୍‌କୁ ଓଟିପି ଆସିବା ପରେ ଅଜଣା କଲରେ ଏହା କରୋନା ଟିକା ପଞ୍ଜିକରଣ ପାଇଁ ପଠାଯାଇଛି। ମୋବାଇଲ ବ୍ୟବହାରକାରୀ ଓଟିପିକୁ କଲ୍‌କାରୀଙ୍କୁ କହିବା ପରେ ବ୍ୟାଙ୍କ ଖାତା ନିମିଷକେ ଖାଲି ହୋଇଯାଇଥାଏ। ପୋଲିସ ବିଭାଗ ସାଇବର ସେଲ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ଟିକା ନେବା ଲାଗି କୌଣସି ପଞ୍ଜିକରଣ କରାଯାଉ ନାହିଁ। ତେଣୁ ସାଇବର ଠକେଇ ପ୍ରତି ସଚେତନ ରହିବା ଆବଶ୍ୟକ।

Share