Categories: ବାଣିଜ୍ୟ

ଆଶାଠାରୁ ଅଧିକ କାରବାର, ବଜାରରେ ଶୀତତାପ ସାମଗ୍ରୀ ଚାହିଦା ବୃଦ୍ଧି

୧୫ା୪: ଭୁବନେଶ୍ୱର,୧୫ା୪: (ଅଭୟ ଦାଶ): ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ସାଙ୍ଗକୁ ବଜାରରେ ଶୀତତାପ ସାମଗ୍ରୀ ଯଥା ଏୟାର କଣ୍ଡିଶନର (ଏସି), କୁଲର, ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ବର୍ଗର ଫ୍ୟାନ କାରବାର ସହିତ ଚାହିଦା ମଧ୍ୟ ବୃଦ୍ଧି ଘଟିଛି। ବିଶେଷ କରି ତାପମାତ୍ରା ବୃଦ୍ଧି ସାଙ୍ଗକୁ ପାଗ ପରିବର୍ତ୍ତନ ଯୋଗୁ ବଜାରରେ ସିଜନ କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଛି।

ଉଲ୍ଲେଖଯୋଗ୍ୟ, ଘରୋଇ ବଜାର (ଭୁବନେଶ୍ୱର)ରେ ଏସି. କୁଲର, ଫ୍ୟାନର କାରବାର ଗତ କିଛି ସପ୍ତାହ ମଧ୍ୟରେ ଆଶାଠାରୁ ଅଧିକ କାରବାର କରିଛି। ଏପରିକି ଆଗକୁ ମଧ୍ୟ ଭଲ କାରବାର ହେବ ବୋଲି ଅଗ୍ରଣୀ ବୈଦ୍ୟୁତିକ ସାମଗ୍ରୀ ବିକ୍ରେତା ଯଥା ରାଜ ଇଲେକ୍ଟ୍ରୋନିକସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ, ପାତ୍ର ଇଲେକ୍ଟ୍ରୋନିକ୍‌ସ, ଭାରତ ଇଲେକ୍ଟ୍ରୋନିକସ, ରିଲାଏନ୍ସ ଡିଜିଟାଲ ସମେତ ଏଲଜି, ଭୋଲଟାସ, ପାନାସୋନିକ, ହାୟାର ଭଳି ଅଗ୍ରଣୀ କମ୍ପାନୀ ଆଉଟଲେଟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ବିଶେଷ କରି ଆର୍ଥିକ ବର୍ଷ ଶେଷ ଓ ନୂଆ ଦର ସୂଚୀ ପୂର୍ବରୁ ମଧ୍ୟ ଗ୍ରାହକ ସେମାନଙ୍କର ଆବଶ୍ୟକତା ଓ ଚାହିଦା ମୁତାବକ ଏସି ଓ କୁଲର କିଣିଥିବା ବେଳେ ବର୍ତ୍ତମାନ ମଧ୍ୟ ଗ୍ରାହକ ଏସି ଓ କୁଲର କ୍ରୟ କରୁଛନ୍ତି।

ଅପରପକ୍ଷରେ ତାପମାତ୍ରା ବୃଦ୍ଧି ପାଇଥିବାରୁ ଆଗକୁ ମଧ୍ୟ କାରବାରରେ ଅଭିବୃଦ୍ଧି ସହ ବଜାରରେ ମଧ୍ୟ ସିଜନ ଶେଷ ସୁଦ୍ଧା କାରବାର ପ୍ରାୟ ୧୨%ରୁ ୧୫% ବୃଦ୍ଧି ଘଟିବ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ତାପମାତ୍ରା ଅଧିକ ରହିଥିଲାବେଳେ ବଜାରରେ କମ୍ପାନୀଗୁଡିକର ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ସାମଗ୍ରୀ ସୁବିଧାରେ ମିଳୁଥିବାବେଳେ ଗ୍ରାହକଙ୍କ ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି। ଏପରିକି ଗତ ବର୍ଷର କାରବାରଠାରୁ ଚଳିତ ବର୍ଷ ବେଶ୍‌ ଉଚ୍ଚା ରହିବା ସହିତ କାରବାର ମଧ୍ୟ ଆଶାଠାରୁ ଅଧିକ ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସେହିଭଳି ୨୦୨୪ ଏପ୍ରିଲ ପ୍ରଥମ ସପ୍ତାହରୁ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଥିଲାବେଳେ ଆଗକୁ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ନଜରରେ ରଖି ଆଶାୟୀ ଗ୍ରାହକମାନେ ମଧ୍ୟ ବଜାରରୁ ଏସି ଓ କୁଲର ଭଳି ପ୍ରମୁଖ ଶୀତତାପ ଉତ୍ପାଦ ସାଙ୍ଗକୁ ଫ୍ୟାନ ଓ ରେଫ୍ରିଜରେଟର ମଧ୍ୟ କ୍ରୟ କରୁଥିବା ବୈଦ୍ୟୁତିକ ସାମଗ୍ରୀ ବ୍ରିକେତା (ବ୍ୟବସାୟ) ମାନେ ମତପ୍ରକାଶ କରିଛନ୍ତି।

Share