ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ବିରୋଧରେ ଭାଜପା ନେତା ଏତଲା ଦାଏର କରିଥିଲେ। କାଭାରାଟ୍ଟି ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ) ଏବଂ ୧୫୩ ବି (ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ)ରେ ମାମଲା ରୁଜୁ କରିଛି। ଲାକ୍ଷାଦ୍ୱୀପର ଚେତିଆଥ୍‌ ଦ୍ୱୀପ ବାସିନ୍ଦା ଆଇଶା ଅନେକ ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଇଶା ମାଲୟାଲମ ଟିଭି ଚ୍ୟାନେଲ ବିତର୍କରେ ଭାଗନେଇ କହିଥିଲେ, ଲାକ୍ଷାଦ୍ୱୀପର ଲୋକମାନଙ୍କ ବିରୋଧରେ ଜୈବିକ ଅସ୍ତ୍ର ଭାବେ କୋଭିଡ୍‌-୧୯କୁ ନିୟୋଜିତ କରିବା ଲାଗି କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ବ୍ୟବହାର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଆଦୌ କୋଭିଡ୍‌ ମାମଲା ନ ଥିବାବେଳେ ଏବେ ଦୈନିକ ଶତାଧିକ ମାମଲା ଆସୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍‌କୁ ନେଇ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କ ବିରୋଧରେ ଭାଜପା ଲାକ୍ଷାଦ୍ୱୀପ ସଭାପତି ଅବଦୁଲ ଖାଦେର ଏତଲା ଦାଏର କରିବା ପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଏହି ଖବର ପ୍ରକାଶ ପାଇବା ପରେ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶଦ୍ରୋହ ଏବଂ ୟୁଏପିଏ ଭଳି ପୁରୁଣାକାଳିଆ କଠୋର ଆଇନକୁ ଉଚ୍ଛେଦ କରାଯାଉ ବୋଲି କେତେଜଣ ମତ ଦେଇଥିବାବେଳେ ଲୋକମାନଙ୍କୁ ମାରିବା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଅଧିକ ତଥ୍ୟ ସହ ଆଣିବା ଆବଶ୍ୟକ ବୋଲି ଅନ୍ୟମାନେ କହିଛନ୍ତି। ଭିନ୍ନମତକୁ ଚାପିଦିଆଯାଇପାରିବ ନାହିଁ ବୋଲି କେତେଜଣ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଇଶା ସୁଲ୍‌ତାନା ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ କଠୋର ନିୟମାବଳୀକୁ ବିରୋଧ କରିବା ସହ ଲୋକଙ୍କ ଅଧିକାର ଉପରେ କହିଆସୁଛନ୍ତି।

 

Share