ମାଟିରେ ମିଶିଲା ପାନବରଜ, ଚିନ୍ତାରେ ଚାଷୀ

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ବାତ୍ୟା ୟାସ ପ୍ରକୋପ ଯୋଗୁ ପାନଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ପବନରେ ସେମାନଙ୍କ ପାନ ବରଜ ମାଟିରେ ମିଶିଯାଇଛି। ମଞ୍ଚା ଭାଙ୍ଗିଯିବା ଯୋଗୁ ପାନପତ୍ରଗୁଡ଼ିକ ଛିଡ଼ି ପଡ଼ିଛି। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତର ମେଳକ, କରଞ୍ଜିଆରିରେ ପାନ ଚାଷର ଚାହିଦା ଥିଲା। ତେବେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଏ ସବୁ ସ୍ଥାନରେ ପାନବରଜ ଦେଖିବାକୁ ମିଳୁ ନ ଥିଲା। ଚଳିତବର୍ଷ ରସୁଲପୁର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୬ ଚାଷୀଙ୍କୁ ନେଇ ୫ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ପାନଚାଷ କରାଯାଇଛି। ପାନଚାଷ ପାଇଁ ୭୨ ହାଜର ଟଙ୍କାର ସବୁଜ ଜାଲ, ଖତ, ପାଣି ସିଞ୍ଚନ ଯନ୍ତ୍ର ଆଦି ପ୍ରଦାନ କାରାଯାଇଛି। ମଜୁରିଆଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ପ୍ରଦାନ କରାଯାଉଛି। ଏହି ହାରରେ ଜଣେ ଚାଷୀ ପିଛା ପ୍ରାୟତଃ ୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ମାତ୍ର ବାତ୍ୟା ୟାସ ଏଥିରେ ବାଧକ ସାଜିଛି। ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଇ ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉ ବୋଲି ଚାଷୀ ବେଣୁଧର ପରିଡ଼ା, ରବୀନ୍ଦ୍ର ଦାସ, ଉତ୍ତମ ଦତ୍ତ, ବାସୁଦେବ ଦତ୍ତ ଓ ବୀରବର ବେହେରା ପ୍ରମୁଖ ଦାବି କରିଛନ୍ତି। ଏନେଇ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜୟଦେବ ସିଟ୍‌ କହିଛନ୍ତି, କ୍ଷେତ୍ରାଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସରକାରଙ୍କୁ ଅବଗତ କରାଯିବ। ସରକାର ଯାହା ସହାୟତା ଦେବେ ତାହା ଚାଷୀଙ୍କୁ ପ୍ରଦାନ କରାଯିବ।