ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବ୍ରହ୍ମପୁର ଏମ୍‌ପି

ଗୋପାଳପୁର,୨୦ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଳାବନ୍ଧସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ପାଚେରି ନିର୍ମାଣ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ଏମ୍‌ପିଙ୍କୁ ଅବଗତ କରେଇଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ ଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ସାମରିକ ବିଭାଗ ପକ୍ଷରୁ ଜାରି ରହିଥିବା ରାସ୍ତା କାମ ଯୋଗୁ ସେମାନଙ୍କ ପାଇଁ ଉପଯୋଗୀ ହେଉଥିବା ରାସ୍ତା, ମନ୍ଦିର, ପୋଖରୀ ଓ ଶ୍ମଶାନକୁ ଯାଅଆସରେ ସାଧାରଣ ଲୋକଙ୍କୁ ନାନା ପ୍ରକାର ଅସୁବିଧା ଭୋଗିବାକୁ ପଡୁଥିବା ନେଇ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଓ ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଅଭିଯୋଗ କରି ସମାଧାନ ପାଇଁ ଅନୁରୋଧ କରିଥିଲେ। ବୁଧବାର ଏମ୍‌ପି ଶ୍ରୀ ସାହୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପତ୍ର ଲେଖିବା ସହିତ ପ୍ରତ୍ୟକ୍ଷ ଭାବେ ଦେଖାକରି ଅଭିଯୋଗ ଅନୁରୋଧ ଉପସ୍ଥାପନ କରିଥିଲେ। ଏଣୁ ସ୍ଥାନୀୟ ଗୋଳାବନ୍ଧ ଅଞ୍ଚଳର ଜନସାଧାରଣ ଉଭୟ ଏମ୍‌ପି ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି।