Categories: ଜାତୀୟ

ବେଙ୍ଗାଲୁରୁ ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ଶୀର୍ଷରେ

ନୂଆଦିଲ୍ଲୀ,୪।୩: ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। କେନ୍ଦ୍ରୀୟ ଆବାସ ଓ ସହର ବ୍ୟାପାର ପକ୍ଷରୁ ଇଜି ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌-୨୦୨୦ ଜାରି କରାଯାଇଛି। ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହର ମଧ୍ୟରେ ଏକ ନମ୍ବରରେ ରହିଛି। ଏହାପଛକ୍‌ୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ପୁଣେ ଏବଂ ଅହମଦାବାଦ ରହିଛି। ତେବେ ରାଜଧାନୀ ଦିଲ୍ଲୀ ଦେଶର ଶ୍ରେଷ୍ଠ ବାସୋପଯୋଗୀ ସହର ମଧ୍ୟରେ ସ୍ଥାନ ହାସଲ କରି ପାରିନାହିଁ। ଦିଲ୍ଲୀ ୧୩ ତମ ସ୍ଥାନରେ ରହିଛି।
ଏଥିରେ ଦେଶର ୧୧୧ଟି ସହରକୁ ବିଚାର ପରିସରଭୁକ୍ତ କରାଯାଇଥିଲା। ସେହିପରି ଶିମଲା ୧୦ ଲକ୍ଷରୁ କମ୍‌ ଲୋକ ବାସ କରୁଥିବା ସହର ମଧ୍ୟରେ ଶୀର୍ଷରେ ରହିଛି। ଏହା ପଛକୁ ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର, ତୃତୀୟ ସ୍ଥାନରେ ସିଲଭାସା ସହର ରହିଛି। ଇନ୍ଦୋର ମ୍ୟୁନିସପାଲ ପରଫର୍ମନାନ୍ସ୍‌ ଇଣ୍ଡେକ୍ସ୍‌ ତଥା ସ୍ବଚ୍ଛ ସହର ଭାବେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ସହର ମଧ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଇନ୍ଦୋର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହରର ମାନ୍ୟତା ହାସଲ କରିଛି। ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ସରକାରଙ୍କ ପକ୍ଷରୁ ମ୍ୟୁନିସପାଲ ପରଫର୍ମନାନ୍ସ୍‌ ଇଣ୍ଡେକ୍ସ୍‌ ତାଲିକା ଜାରି କରାଯାଇଛି।

Share