Categories: ଜାତୀୟ

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର ଜଣେ ବିଦ୍ୟୁତ୍‌ କର୍ମଚାରୀ ପୃଥ୍ବୀରାଜ ସିଂ ୯ ମାସ ପୂର୍ବରୁ ଜ୍ୟୋତି କୁମାରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଜ୍ୟୋତି କୁମାରୀ ତାଙ୍କ ବୟସ ୨୮ ବର୍ଷ କହିଥିଲେ। ହେଲେ ବିବାହ ପରେ ତାଙ୍କ ବୟସ ୩୮ ବର୍ଷ ବୋଲି ପରିବାରକୁ ଜଣାଇଥିଲେ। ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସ୍ବାମୀଙ୍କୁ ମନା କରିଦେଇଥିଲେ। ଅନ୍ୟପକ୍ଷେ, ଶାଶୁ ଘର ଲୋକଙ୍କୁ ସେ ଅପମାନିତ କରୁଥିଲେ। ଏଥିରେ ରାଗିଯାଇ ଜ୍ୟୋତିଙ୍କୁ ମାରିଦେବାକୁ ପୃଥ୍ବୀରାଜ ନିଷ୍ପତ୍ତି ନେଇଥିଲେ। ପରେ ସେ ତାଙ୍କ ବନ୍ଧୁ ସମୀର କୁମାରଙ୍କୁ ବିହାରରୁ ଜ୍ୟୋତିଙ୍କୁ ହତ୍ୟା କରିବାକୁ ଡାକିଥିଲେ। ତେବେ ଯୋଜନା ମୁତାବକ ଅଗଷ୍ଟ ୩ରେ ପୃଥ୍ବୀରାଜ ଜ୍ୟୋତିଙ୍କୁ ବୁଲାଇନେବା ବାହାନାରେ ଉଦପିକୁ ନେଇ ଯାଇଥିଲେ। ସେଠାରେ ଜ୍ୟୋତିଙ୍କୁ ସେମାନେ ଗଳା କାଟି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ୪ ତାରିଖରେ ପୃଥ୍ବୀରାଜ ସ୍ତ୍ରୀ ନିଖୋଜ ଥିବା ନେଇ ଥାନାରେ ଏକ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏପରିକି ପୋଲିସ ପୃଥ୍ବୀରାଜଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲା। ସେତିକି ବେଳେ ପୃଥ୍ବୀରାଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପରେ ପୋଲିସ ମୃତଦେହକୁ ଏକ ଘାଟରୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

Share