Categories: ଜାତୀୟ

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)। ଘଟଣାରେ ପୋଲିସ ଯୁବତୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ବିକାଶ ୟୁକ୍ରେନ୍‌ରେ ଏମ୍‌ବିବିଏସ୍‌ କରିଥିଲେ। ୨ ବର୍ଷ ପୂର୍ବର ସେ ଚେନ୍ନାଇ ଆସି ପ୍ରାକ୍ଟିସ୍‌ କରିଥିଲେ। ପରେ ସେ ଫରେନ୍‌ ମେଡିକାଲ ଗ୍ରାଜୁଏଶନ ପରୀକ୍ଷା (ଏଫ୍‌ଏମ୍‌ଜିଇ) ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଜଣେ ଯୁବତୀଙ୍କ ସହ ବିକାଶ ୨ ବର୍ଷ ହେଲା ସମ୍ପର୍କ ରଖିଥିଲେ। ଉଭୟଙ୍କ ବିବାହ ପାଇଁ ଦୁଇ ପକ୍ଷର ପରିବାର ମଧ୍ୟ ରାଜି ହୋଇଥିଲେ। ବିକାଶ ତାଙ୍କର ଜଣେ ସାଙ୍ଗଙ୍କ ନାମରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ଖୋଲି ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରିବା ସହ ଅନ୍ୟମାନଙ୍କ ସହ ମଧ୍ୟ ତାହାକୁ ଶେୟାର କରିଥିଲେ। ଗତ ୮ ତାରିଖରେ ଯୁବତୀ ଇନ୍‌ଷ୍ଟାରେ ଏଭଳି ଫଟୋ ଦେଖିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯୁବତୀ ଜଣକ ତାଙ୍କ ଦୁଇ ସାଙ୍ଗ ସୁଶୀଲଙ୍କୁ ଜଣାଇଥିଲେ। ଆଉ ଦୁଇ ସହଯୋଗୀ ଗୌତମ ଏବଂ ସୁନୀଲଙ୍କ ସହ ମିଶି ବିକାଶଙ୍କୁ ବୁଦ୍ଧି ଶିଖାଇବାକୁ ଯୋଜନା କରିଥିଲେ। ଗତ ୧୦ ତାରିଖରେ ଯୁବତୀ ଜଣକ ବିକାଶଙ୍କୁ ସୁଶୀଲଙ୍କ ଘରକୁ ଡାକି ମାଡ଼ ମାରିଥିଲେ। ବନ୍ଧୁଙ୍କ ସହ ମାଡ଼ଗୋଳ ହେବା ପରେ ବିକାଶ ଆହତ ହୋଇଥିବା ନେଇ ପ୍ରଥମେ ଯୁବତୀ ଜଣକ ବିକାଶଙ୍କ ଭାଇଙ୍କୁ ଜଣାଇଥିଲେ। ବିକାଶ ଅଚେତ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଯୁବତୀଙ୍କ ସମେତ ସୁଶୀଲ ଓ ଗୌତମଙ୍କୁ ଗିରଫ କରିଛି।

Share