Categories: ଜାତୀୟ

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜଣେ ବିବିଏମ୍‌ପି ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ଘଟଣାଟି ଚିକପେଟ ନିର୍ବାଚନ ମଣ୍ଡଳିର ନଗରାଥପେଟ ଅଞ୍ଚଳରେ ଘଟିଥିବା ସ୍ପଷ୍ଟ କରିଛନ୍ତି।

ଭାଇରାଲ ଭିଡିଓରେ ଜଣେ ଅଧିକାରୀ ନାବାଳକଙ୍କ ହାତକୁ ଧରିଥିବାବେଳେ ଅନ୍ୟ ଜଣେ ଅଧିକାରୀ ପୀଡ଼ିତଙ୍କ ମୁହଁ ଓ ବେକକୁ ମାରିଚାଲିଛନ୍ତି। ନାବାଳକ ତଳେ ପଡ଼ିବା ପରେ ମଧ୍ୟ ଦୁଇ ଅଧିକାରୀ ଛାଡ଼ି ନ ଥିଲେ। ଘଟଣାସ୍ଥଳରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ମଧ୍ୟ ସାଥୀ କର୍ମଚାରୀଙ୍କୁ ରୋକି ନ ଥିଲେ। ନିରୁପାୟ ବାଳକଙ୍କୁ ବିବିଏମ୍‌ପି ଅଧିକାରୀଙ୍କ କବଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିବିଏମ୍‌ପି କମିଶନର ଗୌରବ ଗୁପ୍ତା। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଷ୍ଟ କରିବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

Share