ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସାମାନ୍ୟ ବିଡ଼ି ପାନରୁ ସୃଷ୍ଟି ବଚସା ଏବଂ ପରିଚୟପତ୍ର ଦେଖାଇବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା।
ଗିରଫ ୬ ଜଣ ଅଭିଯୁକ୍ତ ହେଲେ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ରାମଗଡ଼ପଡ଼ାର ନରହରି, ସଞ୍ଜୟ, ରାଜା, ମନୋଜ, ହୀରା ଏବଂ ଶାନ୍ତନଗର ମାତୃବିହାରର ବିକାଶ। ତଦନ୍ତ ସରିନଥିବାରୁ ପୋଲିସ ସେମାନଙ୍କ ସମ୍ପୂର୍ଣ୍ଣ ନାମ ପ୍ରକାଶ କରି ନାହିଁ।
ଠିକାଦାର ସଦାବ ହୁସେନଙ୍କ ଏତଲା କ୍ରମେ ଅଇଁଠାପାଲି ଥାନାରେ ଏକ ମାମଲା (ନଂ- ୪୨୯/୨୦୨୫) ରୁଜୁ ହୋଇଛି। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି ଯେ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ବୈଷୟିକ ପଦ୍ଧତି ଅନୁସାରେ ରାତିସାରା ଚଢ଼ାଉ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ମୃତକ ଶେଖ୍ ଜୁଏଲ୍ ଓ ଅନ୍ୟ ଦୁଇ ଶ୍ରମିକ ସନୱାର ହୁସେନ ଏବଂ ଅକିତ୍ତର ରହମାନ ଓରଫ ଆରିଫ୍ ଶେଖ୍ ବୁଧବାର ରାତି ପ୍ରାୟ ୯ଟା ୩୦ରେ ଦାନିପାଲିରେ ଏକ ନିର୍ମାଣାଧୀନ କୋଠା ନିକଟରେ ବିଡ଼ି ପିଉଥିଲେ। ଅଭିଯୁକ୍ତମାନେ ସେଠାରେ ପହଞ୍ଚି ବିଡ଼ି ମାଗିବା ପରେ ଶ୍ରମିକମାନଙ୍କୁ ଟଙ୍କା ମାଗିଥିଲେ। ଶ୍ରମିକମାନେ ମନା କରିବାରୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ପରିଚୟ ଓ ଆଧାରକାର୍ଡ ଦେଖାଇବାକୁ କହିଥିଲେ।
ଶ୍ରମିକମାନେ ଆଧାରକାର୍ଡ ଦେଖାଇବାକୁ ମନା କରିବାରୁ ଉତ୍ୟକ୍ତ ଅଭିଯୁକ୍ତମାନେ ଲୁହାଛଡ଼ା, ବାଡ଼ି ଆଦିରେ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଜୁଏଲ୍ ଓ ସନୱାର ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଶେଖ୍ ଜୁଏଲ୍ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତ ଶ୍ରମିକମାନଙ୍କ ଚିକିତ୍ସା ଚାଲିଛି।
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ଏହି ହତ୍ୟାକାଣ୍ଡକୁ ‘ବଙ୍ଗାଳିଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନ’ ବୋଲି ଦର୍ଶାଇ ଓଡ଼ିଶାରେ ଶାସନ କରୁଥିବା ଭାଜପାକୁ ଦାୟୀ କରିଛି।


