Categories: ଖେଳ

ବେଙ୍ଗଲ-ଉତ୍ତର ପ୍ରଦେଶ ଫାଇନାଲ

ଭୁବନେଶ୍ୱର, ୧୪।୯(ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟ୍‌ବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ବେଙ୍ଗଲ ଓ ଉତ୍ତର ପ୍ରଦେଶ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି।

ଆସନ୍ତା ଶୁକ୍ରବାର ଫାଇନାଲ ଅନୁଷ୍ଠିତ ହେବ। କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ମ୍ୟାଚରେ ଉତ୍ତର ପ୍ରଦେଶ ୨-୦ ଗୋଲରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ମହମ୍ମଦ ନଦିମ ୫୮ତମ ମିନିଟରେ ଗୋଟିଏ ଗୋଲ ଦେଇ ଉତ୍ତର ପ୍ରଦେଶକୁ ଅଗ୍ରଣୀ କରିଥିଲେ। ଝାଡ଼ଖଣ୍ଡ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ଉତ୍ତର ପ୍ରଦେଶର ନିରଞ୍ଜନ ଜୁଙ୍ଗ ଶାହି ୭୪ତମ ମିନିଟରେ ଆଉଏକ ଗୋଲ ଦେଇ ଦଳକୁ ୨-୦ରେ ବିଜୟୀ କରିଥିଲେ।

୯୦+୨ ମିନିଟରେ ବିଜୟୀ ଦଳର ଗୌରବ କାଶ୍ୟପ ୟେଲୋକାର୍ଡ ପାଇଥିଲେ। କ୍ୟାପିଟାଲ ଗ୍ରାଉଣ୍ଡରେ ଅପରାହ୍ନ ୨ଟା ୩୦ରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବେଙ୍ଗଲ ୨-୦ ଗୋଲରେ ପଞ୍ଜାବକୁ ହରାଇ ଦେଇଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ବେଙ୍ଗଲ ପକ୍ଷରୁ ପ୍ରଦୀପ ମିଶ୍ର ୫ମ ଓ ତନବୀର ଦେ ୨୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗୋଲ ପରିଶୋଧ ପାଇଁ ପଞ୍ଜାବ ଜୋରଦାର ଉଦ୍ୟମ କରିଥିଲେ ହେଁ ବେଙ୍ଗଲ ରକ୍ଷଣଭାଗ ତାହା ହେବାକୁ ଦେଇ ନ ଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ଏହି ମ୍ୟାଚରେ ବେଙ୍ଗଲର ୩ ଓ ପଞ୍ଜାବର ୨ ଖେଳାଳି ୟେଲୋକାର୍ଡ ପାଇଥିଲେ।

 

Share