Categories: ଜାତୀୟ

ପରୀକ୍ଷାରେ ‘ଖେଲ ହବେ’ ଲେଖିଲେ କାର୍ଯ୍ୟାନୁଷ୍ଠାନ

କୋଲକାତା,୭।୪: ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରୀଛାତ୍ର ତାଙ୍କ ଉତ୍ତର ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ‘ଖେଲ ହବେ’ ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ (ଡବ୍ଲ୍ୟୁବିବିଏସ୍‌ଇ) ମାଧ୍ୟମିକ ପରୀକ୍ଷା କରାଯାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଉତ୍ତର ଖାତାରେ ଯେ କୌଣସି ରାଜନୈତିକ ସ୍ଲୋଗାନ ଲେଖିଲେ ପରୀକ୍ଷାର୍ଥୀଙ୍କ ବିରୋଧରେ ପେନାଲ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ଡବ୍ଲ୍ୟୁବିସିଏଚ୍‌ଏସ୍‌ଇ) ପକ୍ଷରୁ ଚେତାବନୀ ଦିଆଯାଇଛି।

“ଏକ୍‌ଜାମିନରଙ୍କୁ ସେଭଳି ଉତ୍ତର ଖାତା ମୂଲ୍ୟାଙ୍କନ ନ କରିବାକୁ କୁହାଯାଇଛି। ଉତ୍ତର ଖାତାରେ ରାଜନୈତିକ ବାର୍ତ୍ତା କିମ୍ବା ସ୍ଲୋଗାନ ଲେଖିଲେ ପରୀକ୍ଷାର୍ଥୀଙ୍କ ବିରୋଧରେ ପେନାଲ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ କାଉନ୍ସିଲ ଦ୍ୱାରା ଏକ କମିଟି ଗଠନ କରାଯିବ। ଏହି କମିଟି ଦଣ୍ଡର ପରିମାଣ ଧାର୍ଯ୍ୟ କରିବ” ବୋଲି ଡବ୍ଲ୍ୟୁବିସିଏଚ୍‌ଏସ୍‌ଇ ସଭାପତି ଚିରନଜିବ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ଡବ୍ଲ୍ୟୁବିସିଏଚ୍‌ଏସ୍‌ଇର ଗାଇଡ୍‌ଲାଇନ ଏବଂ ନିୟମକୁ ଉଲ୍ଲଂଘନ କରୁଥିବା ରାଜନୈତିକ ବାର୍ତ୍ତା କିମ୍ବା ବିବାଦୀୟ ଘଟଣା ଉଲ୍ଲେଖ କରିବା କଠୋର କାର୍ଯ୍ୟାନୁଷ୍ଠାନକୁ ଆମନ୍ତ୍ରଣ କରିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି।

Share