Categories: ଜାତୀୟ

ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ଲାଗିଲା ୧୪୪ ଧାରା

କୋଲକାତା,୩୧।୩: ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା, ଭୋଟରଙ୍କୁ ଧମକାଇବାକୁ ବାହାର ରାଜ୍ୟରୁ ଗୁଣ୍ଡା ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନିବେଦନ କରିଥିଲେ। ଦିଦିଙ୍କ ଅଭିଯୋଗ ପରେ ନିର୍ବାଚନ କମିସନ ପକ୍ଷରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୦ ମିଟର ମତଦାନ ପରିସର ମଧ୍ୟରେ ୫ କିମ୍ବା ଅଧିକ ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ। ହେଲେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଏବଂ ମତଦାନ କେନ୍ଦ୍ରରେ ଭୋଟ ଦେବାର ଅଧିକାର ଥିବା ଜନସାଧାରଣଙ୍କୁ ୧୪୪ ଧାରାରୁ ନିବୃତ୍ତ ରଖାଯାଇଥିବା ମେଦିନୀପୁର ହଲଦିଆ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ଏହା ବ୍ୟତିତ ନିର୍ବାଚନ କମିସନ ହେଲିକପ୍ଟର ଯୋଗେ ନନ୍ଦିଗ୍ରାମ ନିର୍ବାଚନର ତଦାରଖ କରିବେ ବୋଲି ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ପରି ହାଇ-ପ୍ରୋଫାଇଲ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ନନ୍ଦିଗ୍ରାମ ଏକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ।

Share