ଧନୀଗୋଷ୍ଠୀଙ୍କୁ ଲାଭ

ଟିଭି ଖୋଲିଲେ ଶୁଣିବେ ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଖବରକାଗଜରେ ବି ପଢ଼ିବେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଆଉ କିଏ କହିଲାଣି, ଭାରତ ବିଶ୍ୱରେ ଏକ ଉଜ୍ଜ୍ୱଳ ତାରକା। ପୁନଶ୍ଚ ପ୍ରଚାର ହେଉଛି, ସରକାର ଏତେ ଯୋଜନା କଲେ ଓ ବିଭିନ୍ନ ବାବଦରେ ଏତେ ଖର୍ଚ୍ଚ କଲେ। କିନ୍ତୁ ସରକାର ଯେଉଁ ଅର୍ଥ ବ୍ୟୟ କରୁଛନ୍ତି, ତାହାକୁ ଆମ ପରି ଟିକସଦାତାଙ୍କ ଠାରୁ ଟିକସ ବାବଦରେ ବା ଋଣ କରି ସଂଗ୍ରହ କରୁଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଯୋଜନା ବାବଦରେ ଯେତିକି ଲୋକ ପାଉଛନ୍ତି, ତା’ର ବହୁଗୁଣ ଶିକ୍ଷା ଓ ସ୍ବାସ୍ଥ୍ୟ ଏବଂ ଦରଦାମ୍‌ ବୃଦ୍ଧି ଯୋଗୁଁ ହରାଇବାକୁ ପଡ଼ୁଛି। ବେକାରି ଭୟଙ୍କର ଓ ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଉନି। ଜିଡିପି କ’ଣ ଲୋକ ଖାଇବେ? ଜିଡିପି ଏକ ବର୍ଷର ଅର୍ଥନୈତିକ କାର୍ଯ୍ୟକଳାପର ପ୍ରତିଫଳନ। ଭାରତ ପରି ଅର୍ଥ ବ୍ୟବସ୍ଥାରେ ୧୪୫ କୋଟି ଲୋକରୁ ଯଦି ଧନୀ ୨୦ କୋଟି ବହୁ ମାତ୍ରାରେ ବ୍ୟୟ ବା ଉପଭୋଗ କରିବେ, ତେବେ ଜିଡିପି ଆକାର ସ୍ବାଭାବିକ ଭାବେ ବୃଦ୍ଧି ପାଇବ। ଋଣ କରି ବ୍ୟୟ କଲେ ଜିଡିପି ମଧ୍ୟ ବୃଦ୍ଧି ପାଇବ।
ପ୍ରଶ୍ନ ହେଉଛି ଜିଡିପି ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ କେତେ ଉନ୍ନତି ଘଟୁଛି। ଏହା କେତେ ସମତୁଲ ଓ ସମାନୁପାତିକ ହେଉଛି। ବାସ୍ତବରେ ଜିଡିପି ବୃଦ୍ଧିର ସୁଫଳ ଧନିକ ଶ୍ରେଣୀକୁ ଯାଉଛି। ସେମାନଙ୍କ ସମ୍ପଦ ବୃଦ୍ଧି ପାଇଲା ବେଳେ ଗରିବର ଅବସ୍ଥାରେ ସେପରି ଗୁଣାତ୍ମକ ଉନ୍ନତି ଘଟୁନି। ଏହା ହୋଇନଥିଲେ ସରକାରଙ୍କୁ ୮୦ କୋଟି ଲୋକଙ୍କୁ ଖାଦ୍ୟ ସହାୟତା ଦେବାକୁ ପଡ଼ନ୍ତା ନାହିଁ। ବିଶ୍ୱର ସର୍ବାଧିକ ଭୋକିଲା, ଗରିବ, ବାସହୀନ ଏବଂ ଆଧୁନିକ କ୍ରୀତଦାସ ଭାରତରେ ଅଛନ୍ତି। ଜୁଲାଇ, ୨୦୨୪ରେ ପ୍ରକାଶିତ ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାର ସ୍ଥିତି ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ, ୩୫.୪% ଲୋକ ସୁସ୍ଥ ଖାଦ୍ୟ କିଣି ପାରୁନଥିଲାବେଳେ ଭାରତର ଏହା ମୋଟ ଜନସଂଖ୍ୟାର ଅଧାରୁ ଅଧିକ (୫୫.୬ %) ସୁସ୍ଥ ଖାଦ୍ୟ କିଣି ପାରୁନାହାନ୍ତି। ବିଶ୍ୱ ଖାଦ୍ୟ ନୀତି ରିପୋର୍ଟ ୨୦୨୪ ଅନୁସାରେ ଭାରତୀୟ ଜନସଂଖ୍ୟାର ଅତିକମ୍‌ରେ ୩୮% ଲୋକ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତି। ଭାରତରେ ୨୦୨୧ରୁ ୨୦୨୩ ମଧ୍ୟରେ ୧୯.୪୬ କୋଟି ଅପପୁଷ୍ଟିର ଶିକାର ଲୋକ ଥିଲେ। ଏହା ମୋଟ ଜନସଂଖ୍ୟାର ୧୩.୭% ଥିଲା। ବିଶ୍ୱ କ୍ଷୁଧା ସୂଚକାଙ୍କ ୨୦୨୪ ରେ, ଭାରତ ୧୨୭ ଦେଶ ମଧ୍ୟରୁ ୧୦୫ତମ ସ୍ଥାନରେ ଅଛି ଏବଂ କ୍ଷୁଧା ସ୍ତର ‘ଗମ୍ଭୀର ବା ସାଙ୍ଘାତିକ’ ବର୍ଗରେ ରହିଛି। ୨୦୧୪ରେ ୫୫ତମ ସ୍ଥାନରେ ଥିଲା।
ଅନେକଙ୍କ ଧାରଣା ଯେ, ଭାରତୀୟମାନେ ସୁଖଶାନ୍ତିରେ ଅଛନ୍ତି। କିନ୍ତୁ ବାସ୍ତବରେ ଏହା ସଂପୂର୍ଣ୍ଣ ଓଲଟା। ଇନ୍‌ଷ୍ଟିଚ୍ୟୁଟ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସର ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୪ରେ ୧୬୩ଟି ଦେଶ ମଧ୍ୟରୁ ଭାରତ ୧୧୬ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୧୫ଟି ଦେଶ ତଳେ। ଭାରତ ‘ମଧ୍ୟମ’ ଶାନ୍ତି ଦେଶ ଭାବେ ସ୍ଥାନିତ ହୋଇଛି। ସେହିପରି ବିଶ୍ୱ ଖୁସି ସୂଚକାଙ୍କ ରିପୋର୍ଟ ୨୦୨୫ରେ, ଭାରତ ୧୪୭ ଦେଶ ମଧ୍ୟରୁ ୧୧୮ତମ ସ୍ଥାନରେ ଅଛି। ଭାରତ ନେପାଳ (୯୨) ଏବଂ ପାକିସ୍ତାନ (୧୦୯) ପରି ଦେଶ ତଳେ ଅଛି। ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ସଦ୍ୟ ପ୍ରକାଶିତ ମାନବ ଉନ୍ନୟନ ରିପୋର୍ଟ ୨୦୨୫ରେ ପ୍ରମାଣିତ ହୋଇଛି। ୨୦୧୪ ସୂଚକାଙ୍କରେ ୧୮୮ ଦେଶ ମଧ୍ୟରେ ଭାରତ ୧୩୦ସ୍ଥାନରେ ଥିଲା। କିନ୍ତୁ ୨୦୨୫ ସୂଚକାଙ୍କରେ ଭାରତ ସେହି ୧୩୦ତମ ସ୍ଥାନରେ ରହିଛି। ଚାଇନା (୭୫ତମ), ଶ୍ରୀଲଙ୍କା (୭୮ତମ) ଏବଂ ଭୁଟାନ୍‌ (୧୨୭ତମ) ଆଦି ଭାରତ ଆଗରେ ଅଛନ୍ତି। ବାଂଲାଦେଶ ଭାରତ ସହିତ ସମାନ ସ୍ଥାନରେ ଅଛି। ଉଚ୍ଚ ଓ ଅତ୍ୟଧିକ ଉଚ୍ଚ ମାନବିକ ବିକାଶ ପରି ଦୁଇଟି ସୋପାନ ଏବେବି ଅଭେଦ୍ୟ ହୋଇ ରହିଛି। ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି, ଆୟ ବୈଷମ୍ୟ ଏତେ ଭୟଙ୍କର ଯେ, ଏହା ଯୋଗୁଁ ଭାରତରେ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ) ମୂଲ୍ୟ ୩୦.୭% ହ୍ରାସ ପାଇଛି। ମିଳିତ ଜାତିସଂଘର ୧୬ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଭାରତ ୯ଟି କ୍ଷେତ୍ରରେ ବିଶ୍ୱର ହାରାହାରି ଲକ୍ଷ୍ୟ ହାସଲଠାରୁ ପଛରେ ଅଛି।
ବିଶ୍ୱ କ୍ରୀତଦାସ ସୂଚକାଙ୍କ ୨୦୨୩ ଅନୁସାରେ ଭାରତରେ ବିଶ୍ୱରେ ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୧ କୋଟି। ଅର୍ଥାତ୍‌ ପ୍ରତି ୧୧ ଜଣରେ ଜଣେ କ୍ରୀତଦାସ। ବିଶ୍ବରେ ୧୬୦ ଦେଶ ମଧ୍ୟରୁ ୩୪ ସ୍ଥାନରେ ରହିଛି। ବିଶ୍ୱ ବ୍ୟାଙ୍କର ମାନବ ପୁଞ୍ଜି ସୂଚକାଙ୍କ ୨୦୨୪ରେ, ଭାରତ ୧୫୭ଦେଶ ମଧ୍ୟରୁ ୧୧୫ତମ ସ୍ଥାନରେ ଅଛି। ଏହି ସୂଚକାଙ୍କ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ଏବଂ ସମ୍ପୂର୍ଣ୍ଣ ଶିକ୍ଷାର ମାନଦଣ୍ଡକୁ ଭିତ୍ତି କରିବା ସହିତ ଆଜି ଜନ୍ମ ହୋଇଥିବା ଏକ ଶିଶୁର ଭବିଷ୍ୟତ ଶ୍ରମିକ ଭାବରେ ଉତ୍ପାଦକତା ମାପ କରେ। ଏହି ସୂଚକାଙ୍କରେ ଭାରତର ସ୍କୋର ୦.୪୪, ଯାହା ଏହିପରି ଆୟକାରୀ ରାଷ୍ଟ୍ର ବା ଏହାର ଅଞ୍ଚଳର ହାରାହାରିଠାରୁ କମ୍‌। ଏହା ସୂଚିତ କରେ ଯେ, ଭାରତରେ ଜନ୍ମିତ ଏକ ଶିଶୁ ପୂର୍ଣ୍ଣ ସ୍ବାସ୍ଥ୍ୟ ଏବଂ ଶିକ୍ଷା ସହିତ ଯେତିକି ଉତ୍ପାଦନକ୍ଷମ ହୋଇପାରିବ ତା’ର ମାତ୍ର ୪୪% ହେବ।
ଚିନ୍ତାର ବିଷୟ ହେଉଛି, ଜିଡିପି ବୃଦ୍ଧିଜନିତ ଯେଉଁ ସମ୍ପଦ ସୃଷ୍ଟି ହେଉଛି, ତାହାର ମୁଖ୍ୟ ଭାଗ ଧନୀଙ୍କ ପାଖକୁ ଚାଲିଯାଉଛି। ବୈଷମ୍ୟ ବୃଦ୍ଧି ପାଉଛି। ୨୦ ଜାନୁଆରୀ ୨୦୨୫ରେ ଅକ୍ସଫାମର ରିପୋର୍ଟ ‘ଟେକର୍ସ ନଟ୍‌ ମେକର୍ସ’ ରିପୋର୍ଟ ଅନୁସାରେ ଅଧିକାଂଶ କୋଟିପତି ସମ୍ପତ୍ତି ନିଜ ଦକ୍ଷତା, ପରିଶ୍ରମ ଓ ପ୍ରତିଭା ଯୋଗୁଁ ଅର୍ଜନ କରିନଥାନ୍ତି, ୬୦% ଉତ୍ତରାଧିକାର, ସମ୍ପର୍କବାଦ ଏବଂ ଦୁର୍ନୀତି କିମ୍ବା ଏକାଧିକାର ଶକ୍ତିରୁ ଆସିଥାଏ। ଆମର ଗଭୀର ଅସମାନ ବିଶ୍ୱର ଉପନିବେଶବାଦୀ ଆଧିପତ୍ୟର ଏକ ଲମ୍ବା ଇତିହାସ ରହିଛି, ଯାହା ଧନୀ ଲୋକଙ୍କୁ ବହୁଳ ଭାବରେ ଲାଭ ଦେଇଛି। ବିଶ୍ବ ବୈଷମ୍ୟ ଡାଟା ବେସ ଅନୁଯାୟୀ, ଆୟ ଓ ସମ୍ପଦ ବୈଷମ୍ୟ ବ୍ୟାପକ ଭାବେ ବୃଦ୍ଧି ପାଉଛି। ଭାରତରେ ରାଷ୍ଟ୍ରର ସମ୍ପଦ ଧନୀଙ୍କ ହାତକୁ ଚାଲିଯାଉଛି। ୨୦୨୩ରେ ଦେଶର ଧନୀ ୧%ଙ୍କ ହାତରେ ଜାତୀୟ ସମ୍ପଦର ୪୦.୧% ଓ ଜାତୀୟ ଆୟର ୨୧.୮% ରହିଛି। ୧୦%ଙ୍କ ହାତରେ ଜାତୀୟ ସଂପଦ ୧୯୬୧ରେ ୪୪.୯%ଥିଲା ବେଳେ ୨୦୨୩ରେ ୬୪.୬%କୁ ବୃଦ୍ଧି ପାଇଛି, କିନ୍ତୁ ନିମ୍ନରେ ଥିବା ୫୦% ଜନତାଙ୍କ ସମ୍ପଦ ସେହି ସମୟରେ ୧୧.୪%ରୁ ୬.୪%କୁ ହ୍ରାସ ପାଇଛି। ସେହି ସମୟରେ ୦.୧% ଧନୀଙ୍କ ସମ୍ପଦ ୩.୨%ରୁ ୨୯%କୁ ବୃଦ୍ଧି ପାଇଲ ବେଳେ ମଧ୍ୟମ ୪୦%ଙ୍କ ସମ୍ପଦ ୪୩.୭%ରୁ ୨୯%କୁ ହ୍ରାସ ପାଇଛି। ସେହିପରି ୧୯୯୦ରେ ୧୦ ଶତାଂଶ ଲୋକଙ୍କର ଆୟ ଦେଶର ସମୁଦାୟ ଆୟର ୩୪% ଥିଲା, ଯାହା ୨୦୨୩ରେ ୫୭.୭%କୁ ବୃଦ୍ଧି ପାଇଛି। ବୈଷମ୍ୟ ବ୍ରିଟିଶ୍‌ରାଜଠାରୁ ଅଧିକ। ଡିସେମ୍ବର ୨୦୨୪ ସୁଦ୍ଧା ଭାରତୀୟ ଆରବପତି (ବିଲିଓନେୟାର)ଙ୍କ ସମ୍ପଦ ୯୦୫ ବିଲିୟନ ଡଲାର, ଯାହା ଗତବର୍ଷ ତୁଳନାରେ ୪୨% ଅଧିକ। ଏହାର ଅର୍ଥ ହେଉଛି ଦେଶର ସମ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏକ କ୍ଷୁଦ୍ର ସମ୍ପ୍ରଦାୟଙ୍କ ହାତରେ ଠୁଳ ହୋଇ ରହିଛି, ଠିକ୍‌ ଯେତେବେଳେ ଜନସଂଖ୍ୟାର ଏକ ବୃହତ୍‌ ଅଂଶ ସୀମିତ ସମ୍ବଳ ଯୋଗୁଁ ବଞ୍ଚତ୍ବାପାଇଁ ସଂଘର୍ଷ କରୁଛନ୍ତି।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri