ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ ସ୍ବାସ୍ଥ୍ୟ ଭଲ ରହେ ବୋଲି କହୁଥିଲେ। ସଠିକ୍ ପରିମାଣରେ ଦେଶୀ ଘିଅ ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ ବୋଲି ପୋଷଣ ବିଶେଷଜ୍ଞମାନେ ମଧ୍ୟ ମତ ଦିଅନ୍ତି।
ତେବେ ରୁଟିରେ ଘିଅ ଲଗାଇ ଖାଇଲେ ଶରୀରକୁ କ’ଣ କ’ଣ ଫାଇଦା ମିଳିପାରେ, ଆସନ୍ତୁ ଜାଣିବା…
ବ୍ଲଡ ସୁଗାର୍ ନିୟନ୍ତ୍ରଣରେ ସହାୟକ:
ରୁଟିରେ ଘିଅ ଲଗାଇ ଖାଇଲେ ଏହାର ଗ୍ଲାଇସେମିକ ପ୍ରଭାବ କିଛି ମାତ୍ରାରେ କମିପାରେ। ଫଳରେ ରକ୍ତରେ ସୁଗାର୍ ହଠାତ୍ ବଢ଼ିବାର ଗତି ହ୍ରାସ ପାଇପାରେ। ଏହି କାରଣରୁ ବ୍ଲଡ ସୁଗାର୍ର ଉତ୍ଥାନ-ପତନକୁ ନେଇ ଚିନ୍ତିତ ଲୋକଙ୍କ ପାଇଁ ସୀମିତ ପରିମାଣରେ ଘିଅ ଲଗା ରୁଟି ଏକ ବିକଳ୍ପ ହୋଇପାରେ।
ତେବେ ଡାଇବେଟିସ ଭଳି ରୋଗ ଥିଲେ ଡାଏଟ୍ରେ ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ନେବା ଜରୁରୀ।
ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ:
ଘିଅରେ ଥିବା ଫ୍ୟାଟ ପାଚନ ପ୍ରକ୍ରିୟାକୁ ସହାୟତା କରିପାରେ। ରୁଟି ସହ ସୀମିତ ପରିମାଣରେ ଘିଅ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରି ରହିବାର ଅନୁଭବ ହୋଇପାରେ। ଫଳରେ ବାରମ୍ବାର ଭୋକ ଲାଗିବା ଏବଂ ଅନାବଶ୍ୟକ ସ୍ନାକ୍ସ ଖାଇବାର ଅଭ୍ୟାସ କମିପାରେ। କେତେକ ଲୋକଙ୍କ କ୍ଷେତ୍ରରେ ଘିଅ ମଳକୁ ନରମ କରିବାରେ ମଧ୍ୟ ସହାୟକ ହୋଇପାରେ। ତେବେ ଏହାକୁ ଓଜନ କମାଇବାର ନିଶ୍ଚିତ ଉପାୟ ଭାବେ ନେବା ଉଚିତ୍ ନୁହେଁ।
ହାଡ଼ ଓ ଗଣ୍ଠି ପାଇଁ ଉପକାରୀ:
ଦେଶୀ ଘିଅରେ ଫ୍ୟାଟ-ସଲ୍ୟୁବଲ ଭିଟାମିନ ଥାଏ। ଏହାରେ ଥିବା ଭିଟାମିନ A ଓ E ସହ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ଉପକାରୀ। ତେବେ ହାଡ଼ ମଜବୁତ ରଖିବା ପାଇଁ କେବଳ ଘିଅ ଉପରେ ର୍ନିଭର କରିବା ଠିକ ନୁହେଁ। କ୍ୟାଲସିୟମ, ଭିଟାମିନ D ଓ ସନ୍ତୁଳିତ ଖାଦ୍ୟ ମଧ୍ୟ ଆବଶ୍ୟକ।
ଶରୀରକୁ ଦେଇପାରେ ଶକ୍ତି:
ଘିଅରେ ଥିବା ଫ୍ୟାଟ ଶରୀରକୁ ଶକ୍ତି ଯୋଗାଇଥାଏ। ଏହି କାରଣରୁ ଅଧିକ ଶାରୀରିକ ପରିଶ୍ରମ କରୁଥିବା ଲୋକମାନେ ନିଜ ଖାଦ୍ୟରେ ଘିଅକୁ ସୀମିତ ପରିମାଣରେ ସାମିଲ କରିପାରନ୍ତି। ରୁଟି ଓ ଘିଅର ମିଶ୍ରଣ ପେଟକୁ ଅଧିକ ସମୟ ଭରି ରଖିବାରେ ମଧ୍ୟ ସହାୟକ ହୋଇପାରେ।
ତ୍ୱଚା ପାଇଁ ମଧ୍ୟ ଭଲ:
ଘିଅରେ ଥିବା କିଛି ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ୟାଟ ଶରୀରକୁ ପୋଷଣ ଦେଇଥାଏ। ତେବେ ତ୍ୱଚାର ଚମକ ପାଇଁ କେବଳ ଘିଅ ଖାଇବା ଯଥେଷ୍ଟ ନୁହେଁ। ପର୍ଯ୍ୟାପ୍ତ ପାଣି, ଫଳ, ପନିପରିବା ଓ ସନ୍ତୁଳିତ ଖାଦ୍ୟ ମଧ୍ୟ ଜରୁରୀ।
ଦିନକୁ କେତେ ଘିଅ ଖାଇବା ଠିକ୍?
ଯେକୌଣସି ଖାଦ୍ୟ ଭଳି ଘିଅ ମଧ୍ୟ ସୀମିତ ପରିମାଣରେ ଖାଇବା ଭଲ। ସାଧାରଣତଃ ଗୋଟିଏ ରୁଟିରେ ପ୍ରାୟ ଏକ ଛୋଟ ଚାମଚ ଘିଅ ଯଥେଷ୍ଟ ହୋଇପାରେ। ଆବଶ୍ୟକତାଠାରୁ ଅଧିକ ଘିଅ ଖାଇଲେ ଅତିରିକ୍ତ କ୍ୟାଲୋରୀ ଗ୍ରହଣ ହୋଇପାରେ ଏବଂ ଓଜନ ବଢ଼ିବାର ଆଶଙ୍କା ରହେ। ତେଣୁ ନିଜ ବୟସ, ଶାରୀରିକ କାର୍ଯ୍ୟକଳାପ ଓ ସ୍ବାସ୍ଥ୍ୟାବସ୍ଥା ଅନୁସାରେ ସନ୍ତୁଳିତ ପରିମାଣରେ ଘିଅକୁ ଡାଏଟ୍ରେ ସାମିଲ କରିବା ଭଲ।