ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ଆଇଏଏସ୍ ସୌମ୍ୟରଞ୍ଜନ ପ୍ରଧାନ ଥୁଆମୂଳ ରାମପୁର ବ୍ଲକର ଦେର୍ଲାଠି ଗ୍ରାମକୁ ଚାଲିଚାଲି ଯାଇ ହିତାଧିକାରୀଙ୍କ ସମସ୍ୟା ବୁଝିଥିଲେ। ଏହାର ବାସ୍ତବ ରୂପ ଦେବାକୁ ଯାଇ ଶନିବାର ବ୍ଲକ ପ୍ରଶାସନ ପକ୍ଷରୁ ଦେର୍ଲାଠି ଗ୍ରାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ହିତାଧିକାରୀଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ସିନ୍ଦିପଦର ପଞ୍ଚାୟତର ଏହି ଦୁର୍ଗମ ଗ୍ରାମରେ ଅନ୍ତ୍ୟୋଦୟ ଗୃହ ଯୋଜନା ୨୦୨୬-୨୭ ଅଧୀନରେ ୧୨ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏଥିସହ ଏକ ଭବ୍ୟ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ ଶେଷ କରିବାକୁ ଶପଥ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁରୁଲି, ଏପିଡି ଆର୍ଏଚ୍ ଅମୂଲ୍ୟ ବାଉଳ, ପିଇଓ ବସିଷ୍ଠ ଶବର, ଏଇଇ ସାଲ୍ଖୁ ହେମ୍ବ୍ରମ, ଏଇ ପ୍ରତାପ ସାହୁ, ବିପିସି ଆର୍ଏଚ୍ ରାଜେନ୍ଦ୍ର ନାରାୟଣ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଜିଲା ଓ ବ୍ଲକ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।