ଏମ୍‌ଜିଏନ୍‌ଇଆରଇଜିଏସ୍‌ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ ପଡ଼ିଛି ହିତାଧିକାରୀଙ୍କୁ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି କେହି ନ ଶୁଣିବା ପରେ ଏବେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ, ଉକ୍ତ ଯୋଜନାରେ ଗାଈ ଗୁହାଳ ଗୃହ ନିର୍ମାଣ ସହ ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା। ଏଥିଲାଗି ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଥିବା ବେଳେ ସିମେଣ୍ଟ କଂକ୍ରିଟ୍‌ ପାଇଁ ପଥର, ମେଟାଲ,ବାଲି, ସିମେଣ୍ଟ, ଲୁହାଛଡ଼ ବାବଦକୁ ଖର୍ଚ୍ଚର ପ୍ରାପ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଦିଆଯାଇନାହିଁ। ଫଳରେ ହିତାଧିକାରୀ ସାହୁକାରମାନଙ୍କ ଠାରୁ ବକେୟା ଆଣିଥିବା ମେଟେରିଆଲର ଅର୍ଥ ଶୁଝି ନ ପାରି ଋ଼ଣଗ୍ରସ୍ତ ହୋଇଛନ୍ତି। ପ୍ରଶାସନ ତାଙ୍କ ଦାବି ୪ତାରିଖ ମଧ୍ୟରେ ନ ଶୁଣିଲେ ଆମରଣ ଅନଶନରେ ବସିବାକୁ ହିତାଧିକାରୀ ଚେତାବନୀ ଦେଇଥିଲେ। ଏହି ଅନଶନରେ ହିତାଧିକାରୀ ରଞ୍ଜନ ଦିଗାଳଙ୍କ ସମେତ ପରମେଶ୍ୱର ପ୍ରଧାନ, ନଟବର ପ୍ରଧାନ, କେ.ଆମୋଦ ନାୟକ, ପ୍ରକାଶ ପ୍ରଧାନ, ମାଥ୍ୟୁ ମଲିକ, ସୁକାନ୍ତ ପ୍ରଧାନ, ଅମରେନ୍ଦ୍ର ପ୍ରଧାନଣ୍ଟୁ ଦିଗାଳ,ପୀତାମ୍ବର ମାଝି, ନାଦୁ କହଁର ପ୍ରମୁଖ ଧାରଣାରେ ବସିଛନ୍ତି।