କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ ନ ଥିବା ୪୨ଜଣ ହିତାଧିକାରୀମାନଙ୍କୁ ନେଇ ପରିଷଦର ସଦ୍ଭାବନା ସଭାଗୃହରେ ଏକ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସମୟରେ ଉପସ୍ଥିତ ହିତାଧିକାରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶନାମାକୁ ଭଲ ଭାବେ ବୁଝାଇ ଦିଆ ଯାଇଥିଲା। ଏଥିସହିତ ସରକାରଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସରକାରଙ୍କ ଦ୍ୱାରା ମିଳୁଥିବା ଆର୍ଥିକ ସହାୟତା ପାଇବା ପାଇଁ ମଧ୍ୟ ହିତାଧିକାରୀଙ୍କୁ ବୁଝାଇ ଦିଆଯାଇଥିଲା। ଏହି ଆଲୋଚନା ସଭାରେ ପରିଷଦର ନିର୍ବାହୀଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ପାରିଷଦ ବୃନ୍ଦ ସହିତ କର୍ମଚାରୀମାନେ ଉପସ୍ଥିତ ଥିଲେ।