କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍ବ ହେଲା ନୂଆ ଖମ୍ବ ଓ କେବୁଲ ତାର ଟାଣି ଗାଁ ଗାଁରେ ପୋତା ଯାଇଛି। ବର୍ଷା ଋତୁରେ ପ୍ରବଳ ପବନରେ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ଯାଇ ଦିନ ଦିନ ଧରି ବିଦ୍ୟୁତ ସେବା ବନ୍ଧ ରହୁଥିଲା ଏହାକୁ ଦୃଷ୍ଟିରେ ରଖି ଟିଡିପିଏଲ ପକ୍ଷରୁ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ନୂତନ ଖମ୍ବ ଓ କେବୁଲ ଟଣାଯାଇଛି। ପ୍ରବଳ ଲଘୁଚାପଜନିତ ବର୍ଷା ଓ ପବନରେ କେବୁଲ ଓ ବକ୍ସର ନଟ ବୋଲଟ ଖସି ଯାଇ ଝୁଲି ରହିଛି।
ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପଚାରିଲେ କହୁଛନ୍ତି, ଠିକାଦାର ଜାଣିବ ଆମେ କିଛି କହି ପାରିବୁ ନାହିଁ ବୋଲି କହୁଛନ୍ତି। ପ୍ରତ୍ୟେକ ଗ୍ରାମରେ ପ୍ରାୟ ୪୦ରୁ ୫୦ବର୍ଷ ହେଲାଣି ଖୋଲା ବିଦ୍ୟୁତ ତାର ଟଣା ଯାଇ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ବର୍ତ୍ତମାନ ଅଧିକାଂଶ ଗ୍ରାମରେ ଖୋଲା ବିଦ୍ୟୁତ ତାର ସଂଯୋଗ ହୋଇଥିବାରୁ ଲୋକେ ଚୋରାରେ ବିଦ୍ୟୁତ ସଂଯୋଗ କରି ନେଉଥିବା ଦେଖିବାକୁ ମିଳୁଛି। ଏହି ସବୁ ସମସ୍ୟା ରୋକିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ କେବୁଲ ସଂଯୋଗ ଦାରା ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ଗୋଟିଏ ଖମ୍ବର ବକ୍ସରୁ ପାଞ୍ଚ ଜଣକୁ ସଂଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଜି ଦିଆ ହେବ କାଲି ଦିଆଯିବ ବୋଲି ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କେବୁଲ ଦ୍ୱାରା ବିଦ୍ୟୁତ ସଂଯୋଗ ଦିଆଯାଇନାହି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କିଛି ଦିନ ପରେ କେବୁଲ ସଂଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ।