ଉପକାରୀ ଭିଟାମିନ୍‌ ‘ଇ’

ଭିଟାମିନ୍‌ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ତାହା କହିବା ଅନାବଶ୍ୟକ। ଏହାର ପରିମାଣ ଶରୀରରେ ଅସନ୍ତୁଳିତ ରହିଲେ ତାହା ବିଭିନ୍ନ ପ୍ରକାର ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ଆମକୁ ସବୁବେଳେ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିଥାଏ। ଏହି ଭିଟାମିନ୍‌ଗୁଡ଼ିକ ମଧ୍ୟରୁ ‘ଭିଟାମିନ୍‌-ଇ’ ଅନ୍ୟତମ। ଗଜାମୁଗ, ଗଜାବୁଟ, ସୂର୍ଯ୍ୟମୁଖୀ ତେଲ, ପାଳଙ୍ଗ ଶାଗ, ଚିନାବାଦାମ ଆଦିରେ ଭିଟାମିନ-ଇ ପ୍ରଚୁର ମାତ୍ରାରେ ଭରି ରହିଛି। ଏହାର ସବୁଠାରୁ ଉପକାରୀ ଗୁଣ ହେଲା, ଏପରି ଖାଦ୍ୟ ନିୟମିତ ଖାଇଲେ ତାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଫଳରେ ଅନେକ ପ୍ରକାର ରୋଗର ଆଶଙ୍କା ଅନେକାଂଶରେ କମ୍‌ ରହିଥାଏ। ଏଭଳି ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଆମେ ନିଜକୁ ଆଲର୍ଜି ସମସ୍ୟାରୁ କେତେକାଂଶରେ ରକ୍ଷା କରିପାରିବା ବୋଲି ୟୁନିଭର୍ସିଟି ଅଫ୍‌ ଲଣ୍ଡନ ପୁଷ୍ଟିବିଜ୍ଞାନୀମାନେ ମତ ପ୍ରକାଶ କରିଛନ୍ତି। ଭିଟାମିନ୍‌-ଇ ଯୁକ୍ତ ଖାଦ୍ୟ ଚର୍ବିରେ ମିଶିଲେ ତାହା ଆଣ୍ଟିଅକ୍ସିଡାଣ୍ଟ୍‌ ପରି କାମ କରିଥାଏ। ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଏ କ୍ଷେତ୍ରରେ ଭିଟାମିନ୍‌ ‘ଇ’ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭିଟାମିନ୍‌ -ଇ ଯୁକ୍ତ ଖାଦ୍ୟ ଶରୀରରେ ଲାଲ୍‌ ରକ୍ତ କୋଷିକା ଗଠନରେ ମଧ୍ୟ ସାହାଯ୍ୟ କରେ।